om academy

ତାଳଧ୍ୱଜ, ଦର୍ପଦଳନ ରଥ ଚକରେ ଫାଟ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ରଥଯାତ୍ରା ପୂର୍ବରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚକରେ ଫାଟ ହୋଇଥିଲା । ଏବେ ବାହୁଡ଼ା ଯାତ୍ରା ପୂର୍ବରୁ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଚକରେ ଫାଟ ଦେଖିବାକୁ ମିଳିଛି । ତାଳଧ୍ୱଜ ରଥର ପଡ଼ିନାହାକା ଚକ ଓ ଦର୍ପଦଳନ ରଥର ବଡ଼ଉଛୁଳା ଚକରେ ଫାଟ ହୋଇଛି । ରଥ ନିର୍ମାଣର ବୈଷୟିକ ଟିମ୍‌ ସୋମବାର ରଥ ଯାଞ୍ଚ କରିବା ବେଳେ ଫାଟ ସ୍ଥାନକୁ ଚିହ୍ନଟ କରିଛି । ଏହା ଯଥେଷ୍ଟ ଗଭୀର ହୋଇଥିବା ବେଳେ ତୁରନ୍ତ ମରାମତି ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ରଥ ଚକରେ କ୍ଲାମ୍ପ ଲଗାଯିବାକୁ ନିଷ୍ପତ୍ତି ନିଆଯାଇଛି । ଶନିବାର ବାହୁଡ଼ାଯାତ୍ରା । ତେଣୁ ବୁଧବାର ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରୁ ତିନିରଥକୁ ନାକଚଣା ଦ୍ୱାରକୁ ଦକ୍ଷିଣ ମୋଡ଼ କରି ଅଣାଯିବ । ଦକ୍ଷିଣ ମୋଡ଼ ପୂର୍ବରୁ ରଥ ମରାମତି କାର୍ଯ୍ୟ ଶେଷ କରାଯିବ ବୋଲି ସୂଚନା ମିଳିଛି । ଏ ନେଇ ବରିଷ୍ଠ ରଥ ତତ୍ୱାବଧାରକ ଡ. ଏନ୍‌ସି ପାଲ୍‌ କହିଛନ୍ତି, ତାଳଧ୍ୱଜ ରଥର ତିନୋଟି ସ୍ଥାନ ଓ ଦର୍ପଦଳନ ରଥର ଦୁଇଟି ସ୍ଥାନରେ ମରାମତି ଆବଶ୍ୟକ । ସେଠାରେ ଆବଶ୍ୟକ ସଂଖ୍ୟକ ୟୁ କ୍ଲାମ୍ପ ଏବଂ ଏଲ୍‌ କ୍ଲାମ୍ପ ଲଗାଯିବ । ରଥରେ ଫାଟ ଓ ମରାମତି ଏକ ସ୍ୱାଭାବିକ ପ୍ରକ୍ରିୟା । ତେଣୁ ବିଶେଷ କିଛି ବଡ଼ ଧରଣର ସମସ୍ୟା ଉପୁଜି ନାହିଁ । ଦକ୍ଷିଣ ମୋଡ଼ ପୂର୍ବରୁ ରଥ ପ୍ରସ୍ତୁତ ହୋଇଯିବ । ସେହିପରି ନନ୍ଦିଘୋଷ ରଥର କମାରସେବକ ଦାଶରଥି ମହାରଣା କହିଛନ୍ତି, ଏତେ ବଡ଼ ରଥ ଟର୍ଣ୍ଣିଂ ବେଳେ ଏଭଳି ଫାଟ ଦେଖାଯାଏ । ଏହାକୁ ସହଜରେ ମରାମତି କରାଯାଇପାରିବ । ସେବକମାନେ ମରାମତି କାର୍ଯ୍ୟ ପାଇଁ ସଜାଗ ରହିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ରଥ ଗଡ଼ିବା ପରେ ବିଭିନ୍ନ ସ୍ଥାନରେ ଛୋଟ ଫାଟ ପଡ଼ିଥାଏ । ଏବେ ଚିହ୍ନଟ ହୋଇଥିବା ଫାଟକୁ ବୈଷୟିକ ଟିମ୍‌ ସହାୟତାରେ ମରାମତି କରାଯିବ । ବୈଷୟିକ ଟିମ୍‌ ଯାଞ୍ଚ ଶେଷ କରିଛି । ସୂଚନାଯୋଗ୍ୟ, ଗତବର୍ଷ ତାଳଧ୍ୱଜ ରଥ ପହିରେ ଫାଟ ହୋଇଥିଲା । ନୂଆ ପହି ସଂଯୋଗ କରାଯାଇ ରଥକୁ ଦକ୍ଷିଣ ମୋଡ଼ କରାଯାଇଥିଲା । ସାଧାରଣତଃ ଚକରେ ଛୋଟ ଫାଟ ହେଉଥିବା ବେଳେ ଏଥର ତାଳଧ୍ୱଜ ରଥ ପଡ଼ିନାହାକା ଚକର ଫାଟ ଗଭୀର ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.

17 − five =