
- ରେଳଷ୍ଟେସନରେ ଭବ୍ୟ ସମ୍ବର୍ଦ୍ଧନା
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଅଖ୍ୟାତ ପଲ୍ଲୀର ବିଖ୍ୟାତ ସୁନା ଝିଅ ପାଲଟିଛନ୍ତି ରାଜଶ୍ରୀ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାର ଜଣେ ଆଦିବାସୀ ଛାତ୍ରୀ ରାଜଶ୍ରୀ ଧରୁଆ ନିଟ୍ (ସର୍ବ ଭାରତୀୟ ଡାକ୍ତରୀ ପ୍ରବେଶିକା) ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ନାମ ଲେଖାଇ ଡାକ୍ତରୀ ପାଠ ପଢ଼ିବାକୁ ଯାଉଥିବାରୁ ସମଗ୍ର ଅଞ୍ଚଳକୁ ଗୌରାବାନ୍ଵିତ କରିଛନ୍ତି । ରାଜଶ୍ରୀ ନିଟ୍ ବର୍ଗରେ ୪୨୩୮ ରେଙ୍କ ଓ ନିଜ ବର୍ଗରେ ୧୪୮ରେଙ୍କ ହାସଲ କରିଛନ୍ତି । ସେ ମୁରିବାହାଲ ସିଏଚ୍ସିର ବରିଷ୍ଠ ସ୍ୱାସ୍ଥ୍ୟ ପରିଦର୍ଶକ ଗୁଣନିଧି ଧରୁଆ ଓ ଡଙ୍ଗରପଡ଼ା ୟୁପି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ କୁମୁଦିନୀ କୁଅଁରଙ୍କ ଝିଅ ଅଟନ୍ତି । ରାଜଶ୍ରୀଙ୍କ ପରିବାର ଏବେ ମୁରିବାହାଲରେ ହିଁ ରହୁଥିବା ବେଳେ ତାଙ୍କ ପ୍ରକୃତ ବାସସ୍ଥାନ ବେଲପଡ଼ା ବ୍ଲକ କାନୁଟ ପଞ୍ଚାୟତର ତଅଁଲା ଅଟେ । ଏକ ଛୋଟ ମଧ୍ୟବିତ୍ତ ପରିବାରରୁ ଆସି କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସେ ଏହି କୃତିତ୍ୱ ଅର୍ଜନ କରିଥିବା ବେଳେ ତାଙ୍କର ଏହି ସଫଳତା ପାଇଁ ସେ ନିଜ ପିତାମାତା ଓ ଶିକ୍ଷକମାନଙ୍କୁ ଏହାର ଶ୍ରେୟ ଦେଇଛନ୍ତି । ଭବିଷ୍ୟତରେ ଜଣେ ଭଲ ଡାକ୍ତର ହୋଇ ନିରୀହ ଗରିବ ତଥା ନିଷ୍ପେସିତ ରୋଗୀମାନଙ୍କ ସେବା କରିବି ବୋଲି ସେ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ରାଜଶ୍ରୀ ଶୁକ୍ରବାର ସକାଳୁ ଭୁବନେଶ୍ୱରରୁ ପୁରୀ- ଦୁର୍ଗ ଏକ୍ସପ୍ରେସ ଯୋଗେ ଫେରିବା ପରେ ତାଙ୍କୁ ମୁରିବାହାଲ ରେଳଷ୍ଟେସନରେ ଅଞ୍ଚଳବାସୀଙ୍କ ପକ୍ଷରୁ ବାଜାବଜାଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିରେ ରାଜଶ୍ରୀଙ୍କ ଅଜା ଲାବଣ୍ୟ କୁଅଁର ଓ ପଦ୍ମାବତୀ କୁଅଁରଙ୍କ ସମେତ ତାଙ୍କ ବାପାମାଆ, ମାମୁଁଘର ବନବାହାଲ ଗ୍ରାମବାସୀ ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।