pakka

ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚୀନ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ : ସୁରକ୍ଷା ପରିସ୍ଥିତିର କ୍ଷେତ୍ରୀୟ ସମୀକ୍ଷା କଲେ

bbehera
  • ଅତ୍ୟଧିକ ପ୍ରତିକୂଳ ପରିବେଶ ଏବଂ କଠିନ ପରିସ୍ଥିତିରେ ବୀରତା ଏବଂ ଦୃଢ଼ ସଂକଳ୍ପର ସହିତ ଦେଶକୁ ସୁରକ୍ଷା ପ୍ରଦାନ କରୁଥିବାରୁ ସୈନିକମାନଙ୍କୁ ପ୍ରଶଂସା କଲେ ପ୍ରତିରକ୍ଷା ମନ୍ତ୍ରୀ
  • ବରଫାବୃତ ସିଆଚୀନ ଗ୍ଳାସିୟରରେ ଆମ ସୈନିକଙ୍କ ସାହସିକତା ଏବଂ ଦୃଢ଼ ସଙ୍କଳ୍ପ ଭବିଷ୍ୟତ ପିଢ଼ିଙ୍କୁ ସଦା ସର୍ବଦା ପ୍ରେରଣା ଯୋଗାଇବ

ନୂଆଦିଲ୍ଲୀ, (ପିଆଇବି) : ୨୦୨୪ ଏପ୍ରିଲ ୨୨ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚୀନ ଗସ୍ତ କରି ସୁରକ୍ଷା ସ୍ଥିତିର ପ୍ରତ୍ୟକ୍ଷ ଆକଳନ କରିଛନ୍ତି । ଅତ୍ୟଧିକ ପ୍ରତିକୂଳ ପରିବେଶ ଏବଂ କଠିନ ଅଞ୍ଚଳରେ ନିୟୋଜିତ ସୈନିକମାନଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ । ରକ୍ଷାମନ୍ତ୍ରୀଙ୍କ ସହ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ; ଜେନେରାଲ ଅଫିସର କମାଣ୍ଡିଂ-ଇନ୍- ଚିଫ୍, ଉତ୍ତର କମାଣ୍ଡ ଲେଫ୍ଟନାଣ୍ଟ ଜେନେରାଲ ଏମ୍ଭି ସୁଚିନ୍ଦ୍ର କୁମାର; ଏବଂ ଜେନେରାଲ ଅଫିସର କମାଣ୍ଡିଂ, ୧୪ କର୍ପସ୍ ଲେଫ୍ଟନାଣ୍ଟ ଜେନେରାଲ ରଶିମ ବାଲି ମଧ୍ୟ ଉପସ୍ଥିତ ଥିଲେ । ଆକାଶ ମାର୍ଗରୁ ଅନୁଧ୍ୟାନ ପରେ ପ୍ରତିରକ୍ଷା ମନ୍ତ୍ରୀ ୧୫,୧୦୦ ଫୁଟ ଉଚ୍ଚତାରେ ଥିବା ଏକ ଫରୱାର୍ଡ ପୋଷ୍ଟରେ ଅବତରଣ କରିଥିଲେ ଏବଂ ତାଙ୍କୁ ସିଆଚୀନ ଗ୍ଳାସିୟରରେ ଅପରେସନ୍ ସମ୍ବନ୍ଧୀୟ ପ୍ରସ୍ତୁତି ଏବଂ ପ୍ରଚଳିତ ସୁରକ୍ଷା ପରିସ୍ଥିତି ବିଷୟରେ ବିଶଦ ବିବରଣୀ ଦିଆଯାଇଥିଲା । ସେ ସ୍ଥଳ ଭାଗରେ କମାଣ୍ଡରମାନଙ୍କ ସମ୍ମୁଖରେ ଥିବା ପରିଚାଳନାଗତ ଆହ୍ୱାନ ସହିତ ଜଡ଼ିତ ଦିଗ ଗୁଡିକ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ସୈନିକମାନଙ୍କୁ ସମ୍ବୋଧିତ କରି ରାଜନାଥ ସିଂହ ଅତ୍ୟନ୍ତ କଠିନ ପରିସ୍ଥିତିରେ ସାହସିକତା ଏବଂ ଦୃଢ଼ ସଂକଳ୍ପର ସହିତ ମାତୃଭୂମିର ସୁରକ୍ଷାର ପୁଣ୍ୟ ପଥରେ ସେମାନେ ଚାଲୁଥିବାରୁ ସେମାନଙ୍କୁ ପ୍ରଶଂସା କରିଥିଲେ । ସଶସ୍ତ୍ର ବାହିନୀ ଯବାନଙ୍କ ନିକଟରେ ଦେଶ ସର୍ବଦା ଋଣୀ ରହିବ, କାରଣ ସେମାନଙ୍କ ବଳିଦାନ ଯୋଗୁଁ ପ୍ରତ୍ୟେକ ନାଗରିକ ସୁରକ୍ଷିତ ଅନୁଭବ କରୁଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଆମର ବୀର ସୈନିକମାନେ ସୀମାରେ ଦୃଢ଼ତାର ସହ ଠିଆ ହୋଇ ଥିବାରୁ ଆମେ ଶାନ୍ତିପୂର୍ଣ୍ଣ ଜୀବନ ବିତାଉଛୁ ବୋଲି ସେ ଉଲ୍ଲେଖ କରିଥିଲେ । ଆଗାମୀ ଦିନରେ ଯେତେବେଳେ ଜାତୀୟ ନିରାପତ୍ତାର ଇତିହାସ ଲେଖାଯିବ, ବରଫ ଆଚ୍ଛାଦିତ ଅତ୍ୟଧିକ ଥଣ୍ଡା ଗ୍ଳାସିୟରରେ ଆମ ସୈନିକ ମାନଙ୍କର ସାହସିକତା ଏବଂ ଦୃଢ଼ ଇଚ୍ଛାଶକ୍ତିକୁ ସେତେବେଳେ ଗର୍ବର ସହ ସ୍ମରଣ କରାଯିବ ବୋଲି ସେ କହିଥିଲେ । ଏହା ଭବିଷ୍ୟତ ପିଢ଼ିଙ୍କ ନିମନ୍ତେ ସବୁ ଦିନ ପାଇଁ ଏକ ପ୍ରେରଣା ହୋଇ ରହିବ’ ବୋଲି ସେ କହିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ସିଆଚୀନକୁ ଏକ ସାଧାରଣ ଭୂମି ନୁହେଁ, ବରଂ ଭାରତର ସାର୍ବଭୌମତ୍ୱ ଏବଂ ସଂକଳ୍ପର ପ୍ରତୀକ ବୋଲି ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, ଯେଉଁଭଳି ଦିଲ୍ଲୀ ଭାରତର ଜାତୀୟ ରାଜଧାନୀ, ମୁମ୍ବାଇ ହେଉଛି ଆର୍ଥିକ ରାଜଧାନୀ ଏବଂ ବେଙ୍ଗାଲୁରୁ ହେଉଛି ପ୍ରଯୁକ୍ତିର ରାଜଧାନୀ; ସେହିଭଳି ସିଆଚୀନ ହେଉଛି ସାହସ, ଧୈର୍ଯ୍ୟ ଓ ସଂକଳ୍ପର ରାଜଧାନୀ । ଦେଶ ନିକଟ ଅତୀତରେ ଅପରେସନ ମେଘଦୂତର ସଫଳତାର ୪୦ ତମ ବାର୍ଷିକୀ ପାଳନ କରିଛି । ୧୯୮୪ ଏପ୍ରିଲ ୧୩ ତାରିଖରେ ସିଆଚୀନ ଠାରେ ଭାରତୀୟ ସେନା ଦ୍ୱାରା ଆରମ୍ଭ ହୋଇଥିବା ଏହି ଅପରେସନକୁ ଦେଶର ସାମରିକ ଇତିହାସର ଏକ ସୁବର୍ଣ୍ଣ ଅଧ୍ୟାୟ ବୋଲି ରାଜନାଥ ସିଂହ କହିଛନ୍ତି । “ଅପରେସନ ମେଘଦୂତର ସଫଳତା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ’ ବୋଲି ସେ କହିଛନ୍ତି । ମାତୃଭୂମିର ସେବାରେ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯବାନମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ରକ୍ଷାମନ୍ତ୍ରୀ ସିଆଚୀନ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଉଲ୍ଲେଖଯୋଗ୍ୟ, ୨୦୨୪ ମାର୍ଚ୍ଚ ୨୪ ତାରିଖରେ ରାଜନାଥ ସିଂହ ଲେହ ଗସ୍ତ କରି ଯବାନଙ୍କ ସହ ହୋଲି ପାଳନ କରିଥିଲେ । ସେ ସିଆଚୀନ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ପ୍ରତିକୂଳ ପାଗ ଯୋଗୁଁ ଏହାକୁ ସ୍ଥଗିତ ରଖା ଯାଇଥିଲା । ଲେହରୁ ରକ୍ଷାମନ୍ତ୍ରୀ ସିଆଚୀନରେ ମୁତୟନ ଥିବା ଯବାନଙ୍କ ସହ ଫୋନ୍‌ରେ କଥା ହୋଇଥିଲେ ଏବଂ ସେମାନଙ୍କୁ କହିଥିଲେ ଯେ ସେ ଖୁବ୍ ଶୀଘ୍ର ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ପରିଦର୍ଶନ କରିବେ ଏବଂ ସେମାନଙ୍କ ସହ ଆଲୋଚନା କରିବେ । ଏହିଭଳି ଭାବେ ସିଆଚୀନ ଗସ୍ତ କରି ରାଜନାଥ ସିଂହ ନିଜର ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ସତ୍ତ୍ୱେ ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି ।

Leave A Reply

Your email address will not be published.

sixteen − seven =