pakka

ପୁଣି ଜଣେ ଅପରିଚିତ ବୃଦ୍ଧାଙ୍କ ମୃତ୍ୟୁ : କେବଳ ଚଳିତ ମାସରେ ଚତୁର୍ଥ ଅସହାୟ ଶବକୁ ଶେଷ ସମ୍ମାନ ଦେଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ଜଣେ ଅଲୋଡା । ପୁଣି ଜଣେ ଅସହାୟ ଅପରିଚିତ । ବାରମ୍ବାର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ ସତ୍ତ୍ୱେ କିଏ ଚିକିତ୍ସା ପାଇଁ ଭର୍ତ୍ତି କରାଉଛି, ସେ ରୋଗୀର ସମ୍ପର୍କୀୟଙ୍କ ନାମ ହସ୍ପିଟାଲ କାଜୁଆଲିଟିରେ ରେକର୍ଡ କରାଯାଉ ନାହିଁ । ଫଳରେ ରୋଗୀର ମୃତ୍ୟୁବରଣ ପରେ ଶବଟି ଅସହାୟ ବା ଅପରିଚିତ ମାନ୍ୟତା ପାଉଛି । ଯାହାକି ଏକ ସାଙ୍ଘାତିକ ଏବଂ ଦୁଃଖର ବିଷୟ ଅଟେ । ଗତ ଏପ୍ରିଲ ୩ ତାରିଖରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ କେହି ଜଣେ ଆସିକି ବୃଦ୍ଧା ମହିଳାଙ୍କୁ ଭର୍ତ୍ତି କରିଦେଇ ଚାଲିଗଲେ । ଅସହାୟ ବୃଦ୍ଧା ମହିଳା ଜଣକ ହେଉଛନ୍ତି ସୋନପୁରର ଫୁଲ ବିଶି । ବୟସ ପାଖାପାଖି ୭୦ ବର୍ଷ । ଗତ ଶନିବାର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଯାଇଥିଲା । ପୋଲିସ ଦ୍ୱାରା ଶବକୁ ଜବତ କରାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ ପରେ ଔପଚାରିକତା ଦୃଷ୍ଟିରୁ ଶବକୁ ସଂରକ୍ଷଣ କେନ୍ଦ୍ରରେ ସଂରକ୍ଷିତ ରଖାଯାଇଥିଲା । ମହିଳାଙ୍କୁ କିଏ ଆଣିକି ହସ୍ପିଟାଲରେ ଭର୍ତ୍ତି କରିଥିଲା ତାହାର କୌଣସି ତଥ୍ୟ ହସ୍ପିଟାଲ କେଜୁଆଲିଟିରୁ ଉପଲବ୍ଧ ହୋଇପାରିଲା ନାହିଁ । ହସ୍ପିଟାଲରେ ଥିବା ପୋଲିସ ବିଟ ହାଉସର ଅଧିକାରୀ ମୃତ ମହିଳାଙ୍କ ପରିଚୟ ସନ୍ଧାନ ଲକ୍ଷ୍ୟରେ ଖବରକାଗଜରେ ବିଜ୍ଞାପନ ମଧ୍ୟ ଦେଇଥିଲେ । ହେଲେ ସେହି ମହିଳାଙ୍କ କୌଣସି ପରିଚୟ ମିଳିପାରିଲା ନାହିଁ । ଫଳରେ ଆଜି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ଗୋବିନ୍ଦ ଚନ୍ଦ୍ର ଶତପଥୀ, ସନ୍ତୋଷ ପଟ୍ଟନାୟକ, ରବିନ୍ଦ୍ର ପ୍ରଧାନ, ଲିଙ୍କନ ସେଠ, ଉତ୍ତମ ନନ୍ଦ, ଦେବରାଜ ନାଗ, ସୀମାଞ୍ଚଳ ସୁନା, ତନ୍ମୟ ପଟେଲ, ସରୋଜ ଜାଲ ଓ ସୁମିତ ମିଶ୍ର ପୋଲିସ ବିଟ ହାଉସର ଭାରପ୍ରାପ୍ତ ଅଧିକାରୀ ଗିରିଧାରୀ ରାକ୍ସାଙ୍କ ଉପସ୍ଥିତିରେ ଉକ୍ତ ଅପରିଚିତ ବୃଦ୍ଧା ମହିଳାଙ୍କ ଶବକୁ ସଂରକ୍ଷଣ କେନ୍ଦ୍ରରୁ ସ୍ୱର୍ଗରଥରେ ନେଇ ସ୍ଥାନୀୟ ବିଭୁତିପଡା ଶ୍ମଶାନରେ ସସମ୍ମାନେ ଶେଷ ସଂସ୍କାର କରି ଫେରିଥିଲେ । ଶବ ସତ୍କାର ନିମନ୍ତେ ଉପଯୁକ୍ତ ସମସ୍ତ ସାମଗ୍ରୀ ଯୋଗାଇବାରେ ଯୁବ ସମାଜସେବୀ ଟୁନା ମିଶ୍ର ସହଯୋଗ କରିଥିଲେ ।

Leave A Reply

Your email address will not be published.

1 + three =