କରୋନାରୁ ରକ୍ଷା ପାଇବା ପାଇଁ ଗ୍ରାମବାସୀଙ୍କ ଗ୍ରାମର ଦେବାଦେବୀଙ୍କ ଠାରେ ପୂଜାର୍ଚ୍ଚନା

ମ.ରାମପୁର, (ହେମନ୍ତ ସାହୁ) : କରୋନାର ମୁକାବିଲା କରିବାକୁ କେବଳ ବିଜ୍ଞାନ ନୁହେଁ ଲୋକବିଶ୍ୱାସର ମଧ୍ୟ ସାହାରା ନେବା ଦେଖାଗଲାଣି । ବିଶ୍ୱ ମହାମାରୀର ଦ୍ୱିତୀୟ ଲହର ଏବେ ସାରା ବିଶ୍ୱବାସୀଙ୍କୁ କବଳିତ କରିଥିବା ବେଳେ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ତଥା ବଣପାହାଡ଼ ଘେରା ମୋହନଗିରି ପଂଚାୟତର ଦେଉଳିଶୂଳିଆ ଜଗନ୍ନାଥ ସଂଘ ତରଫରୁ ଗ୍ରାମରେ ଗ୍ରାମର ଦେବାଦେବୀଙ୍କ ପାଖରେ ପୂଜାର୍ଚ୍ଚନା କରାଯାଇଛି । ତେବେ ଗତ ପ୍ରାୟ ଏକ ମାସ ଭିତରେ କୋଡ଼ିଏରୁ ଅଧିକ ଲୋକଙ୍କ କରୋନାରେ ମୃତ୍ୟୁ ହେବା ପରେ ଅଂଚଳରେ ଏକ ପ୍ରକାର ଭୟର ବାତାବରଣ ଦେଖାଯାଇଛି । ଲୋକେ କେହି ଘରୁ ପଦାକୁ ବାହାରୁ ନଥିବା ବେଳେ ସିଂହପୁର, ମୋହନଗିରି ଭଳି ବିଭିନ୍ନ ଗ୍ରାମରେ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହୁନାହିଁ । କିନ୍ତୁ ଏମାନେ ପାଖରେ ସ୍ୱାସ୍ଥ୍ୟ ସେବା ପାଇ ପାରୁନଥିବାରୁ ଏହି ଅଂଚଳରେ ଏକ କରୋନା ଟେଷ୍ଟିଂ କେନ୍ଦ୍ର କରିବାକୁ ଦାବୀ କରିଛନ୍ତି । ତେବେ ବିଜ୍ଞାନ ଯୁଗରେ ଏବେ ଲୋକବିଶ୍ୱାସ ତଥା ଧର୍ମୀୟ ଭାବନାକୁ ପ୍ରାଧାନ୍ୟ ଦେଇ ଦେଉଳିଶୂଳିଆଠାରେ କରୋନା କଟକଣାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ସହିତ ଏହି ପୂଜାର୍ଚ୍ଚନା କରିଥିଲେ । ଗ୍ରାମବାସୀଙ୍କ କହିବା ମୁତାବକ ପୂଜାର୍ଚ୍ଚନା କଲେ ଗ୍ରାମକୁ କରୋନାରୁ ରକ୍ଷା କରାଯାଇ ପାରିବ, ଏଣୁ ଏହି ବିଶ୍ୱାସ ସହିତ ପୂଜାର୍ଚ୍ଚନା କରାଯାଉଥିବା ଦେଖାଯାଇଛି ।

Leave A Reply

Your email address will not be published.

2 × 5 =