
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗଞ୍ଜେଇ ଚୋରା ଚାଲାଣ ବେଳେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ । କାର ଜବତ ସହ ଚାରି ଜଣ ଅଭିଯୁକ୍ତକୁ ଗିରଫ୍ କରିଛି ଉଲୁଣ୍ଡା ପୋଲିସ । ଗତକାଲି ବିଳମ୍ବିତ ରାତିରେ ସୋନପୁର ପଟରୁ ଏକ ନମ୍ବର ବିହୀନ କାର ଯୋଗେ ସମ୍ବଲପୁର ପଟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ସେହି ସମୟରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପୋଲିସ ଯାନବାହନ ଯାଞ୍ଚ୍ କରୁଥିଲା । ପୋଲିସକୁ ଦେଖି କାର୍ଟି ଦୃତ ଗତିରେ ସୋନପୁର ପଟକୁ ପୁଣି ଫେରାର ମାରୁଥିବା ସମୟର ଗଣ୍ଡାବାହାଲ ଛକ ଠାରେ ଜଣେ ହୋମଗାର୍ଡଙ୍କ ଗାଡ଼ିକୁ ଧକ୍କା ଦେବା ସହ ଏକ କୁକୁରକୁ ଧକ୍କା ଦେଇଥିଲା । ଫଳରେ ବାଇକର କିଛି ଅଂଶ ଭାଙ୍ଗିଯିବା ସହ ଘଟଣା ସ୍ଥଳରେ କୁକୁରର ମୃତ୍ୟୁ ଘଟିଥିଲା । ପୋଲିସ କାର୍କୁ ପିଛା କରିବାରୁ କାର୍ଟି ଉଲୁଣ୍ଡା ହାଟ ପଡିଆ ଭିତରକୁ ପଶିଯାଇଥିଲା । ଗାଡ଼ି ଛାଡ଼ି ଦେଇ ଗଞ୍ଜେଇ ମାଫିଆମାନେ ଫେରାର ମାରୁଥିବା ବେଳେ ପୋଲିସ ଗୋଡ଼ାଇ ଗୋଡ଼ାଇ କାବୁ କରିଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କଲାପରେ ୨୬ କେଜି ୭୦୦ ଗ୍ରାମ ଥିବା ଜଣାପଡ଼ିଥିଲା ।