mahavir

୬୯ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ଫୁଟବଲ ପ୍ରତିଯୋଗିତା

  • “ରୋମାଞ୍ଚକ ଫାଇନାଲ : ପେନାଲ୍ଟିରେ ବଲାଙ୍ଗିର ଚାମ୍ପିୟାନ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୭ ତାରିଖରୁ ଆରମ୍ଭ ହୋଇଥିବା ୬୯ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ୧୭ବର୍ଷରୁ କମ ବାଳକ ବର୍ଗ ଫୁଟବଲ ମ୍ୟାଚ୍‌ର ଫାଇନାଲ ମ୍ୟାଚ୍‌ ହର୍ଷୋଉଲ୍ଲାସର ସହ ଗାନ୍ଧୀ ଷ୍ଟାଡିୟମ ଠାରେ ସମାପନ ହୋଇଯାଇଛି । ମିଶନ ପଡିଆ ଠାରେ ଅନୁଷ୍ଠିତ ହୋଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଢେଙ୍କାନାଳ ଦଳକୁ ମୟୁରଭଞ୍ଜ ଦଳ ୨-୦ରେ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଥିବା ବେଳେ ଆର.ଏନ ସିଂଦେଓ ସ୍ପୋର୍ଟ୍ସ କଂପ୍ଲେକ୍ସ ଠାରେ ଅନୁଷ୍ଠିତ ହୋଇଥିବା ଦ୍ଵିତୀୟ ସେମିଫାଇନାଲ ମ୍ୟାଚ୍‌ରେ ବଲାଙ୍ଗିର ଦଳ କେନ୍ଦୁଝର ଦଳକୁ ୩-୨ରେ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଥିଲା । ସେମିଫାଇନାଲ ମ୍ୟାଚର ଉଭୟ ବିଜେତା ବଲାଙ୍ଗିର ଓ ମୟୁରଭଞ୍ଜ ଦଳଙ୍କ ମଧ୍ୟରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ମଧ୍ୟାହ୍ନ ୧୨ ଟାରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ମ୍ୟାଚ୍‌ର ପ୍ରଥମାର୍ଦ୍ଧରୁ ହିଁ ଆକ୍ରମଣାତ୍ମକ ଖେଳ ଦେଖାଇଥିବା ବଲାଙ୍ଗିର ଓ ମୟୁରଭଞ୍ଜ ଦଳ ତୀବ୍ର ଆକ୍ରମଣ ସହିତ ଖେଳକୁ ନିଜ ନିଜ ନିୟନ୍ତ୍ରଣରେ ରଖିଥିଲେ । ଦୁଇ ପକ୍ଷର ସମାନ ସଂଘର୍ଷ ଫଳରେ ଖେଳ ନିର୍ଦ୍ଧିଷ୍ଟ ସମୟରେ ୦-୦ରେ ସମାପ୍ତ ହେଲା । ମ୍ୟାଚ୍‌ର ଫଳାଫଳ ନିର୍ଣ୍ଣୟ ପାଇଁ ଟାଇବ୍ରେକର କରାଯାଇଥିଲା । ଦୁଇ ଦଳ ତୀବ୍ର ଚାପରେ ଥିବା ସମୟରେ ଦକ୍ଷତା ଓ ସ୍ଥିରତା ଦେଖାଇ ବଲାଙ୍ଗିର ଦଳ ଚମତ୍କାର ପ୍ରଦର୍ଶନ କଲା । ଟାଇବ୍ରେକରର ରୋମାଞ୍ଚକର ମୁହୁର୍ତ୍ତରେ ପେନାଲ୍ଟିରେ ବଲାଙ୍ଗିର ଦଳ ମୟୁରଭଞ୍ଜ ଦଳକୁ ୩-୨ଗୋଲରେ ପରାସ୍ତ କରି ଚଳିତ ବର୍ଷର ରାଜ୍ୟ ବିଦ୍ୟାଳୟ ସମୂହ ୧୭ବର୍ଷରୁ କମ ବାଳକ ବର୍ଗର ଫୁଟବଲ ଚାମ୍ପିୟାନସିପ ହାସଲ କଲା । ପୁରସ୍କାର ବିତରଣ ସମାରୋହ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ନିମନ୍ତ୍ରିତ ଅତିଥି ରୂପେ ବଲାଙ୍ଗିର ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା, ଶାରୀରିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତି ପ୍ରସାଦ ପରିଡା, ଜିଲ୍ଲା କ୍ରୀଡା ସଂସଦ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ଜିଲ୍ଲା କ୍ରୀଡା ସଂସଦ ସାଧାରଣ ସମ୍ପାଦକ ହରି ନାରାୟଣ ପୂଝାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ, ପ୍ରବୀର ପଣ୍ଡା ଓ ରୀନା କୁମାରୀ ବେହେରା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର ପ୍ରମୁଖ ଯୋଗଦେଇ ବଲାଙ୍ଗିର ଦଳକୁ ବିଜେତା ଟ୍ରଫି ପ୍ରଦାନ କରିବା ସହ ମୟୁରଭଞ୍ଜ ଦଳକୁ ରନର୍ସ ଅପ ଟ୍ରଫି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ କ୍ରୀଡା ଶିକ୍ଷକ ହେମନ୍ତ ପ୍ରଧାନ ସଂଯୋଜନା କରିଥିବା ବେଳେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର ଧନ୍ୟବାଦ ଦେଇଥିଲେ । ପର୍ଯ୍ୟବେକ୍ଷକ ଭାବେ ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ଅଧିକାରୀ ଦୁର୍ଯ୍ୟୋଧନ ରାଉତ ଯୋଗଦେଇଥିବା ବେଳେ ଜିଲ୍ଲାର ୧୪ଗୋଟି ବ୍ଲକର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ, କ୍ରୀଡା ଶିକ୍ଷକ ଓ ଶିକ୍ଷୟିତ୍ରୀ, ରାଜ୍ୟ ସ୍ତରୀୟ ଅଫିସିଆଲ, ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ, ବିଭିନ୍ନ କ୍ରୀଡା ସଂଗଠନର କର୍ମକର୍ତ୍ତା ସକ୍ରୀୟ ସହଯୋଗ କରିଥିଲେ ।

Leave A Reply

Your email address will not be published.