csstore

ଛତ୍ରପୁରଠାରେ ୩ ଦିନଆ ପଲ୍ଲିଶ୍ରୀମେଳା ଓ ଛତ୍ରପୁର ମହୋତ୍ସବର ବ୍ୟାପକ ପ୍ରସ୍ତୁତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରବିବାର ୧୪ ତାରିଖଠାରୁ ୧୬ ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ଛତ୍ରପୁର ଷ୍ଟାଡିୟମ୍‌ଠାରେ ପଲ୍ଲିଶ୍ରୀ ମେଳା ସହିତ ଛତ୍ରପୁର ମହୋତ୍ସବ ଅନୁଷ୍ଠିତ ହେବ । ଏଥି ସକାଶେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ତିନିଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ଆୟୋଜିତ ହେଉଥିବା ପଲ୍ଲିଶ୍ରୀ ମେଳାରେ ସମୁଦାୟ ୫୦ ଗୋଟି ଷ୍ଟଲରେ ବିକ୍ରିବଟା ହେବ । ୪୦ ଗୋଟି ଷ୍ଟଲରେ ରାଜ୍ୟର ମିଶନ୍ ଶକ୍ତି ଦ୍ୱାରା ପ୍ରସ୍ତୁତ ଗ୍ରାମ୍ୟ ସାମଗ୍ରୀ ବିକ୍ରିବଟା ଏବଂ ୧୦ ଗୋଟି ଷ୍ଟଲରେ ଫୁଡ୍‌ ଷ୍ଟଲ୍‌ କରାଯିବାର ବ୍ୟବସ୍ଥା କରାଯାଇଛି । ଏହି ପଲ୍ଲିଶ୍ରୀ ମେଳାରେ ଯାଜପୁର, ମୟୁରଭଞ୍ଜ, ନୟାଗଡ, କେନ୍ଦୁଝର, ଜଗତସିଂହପୁର, ନୂଆପଡା, କୋରାପୁଟ, କଳାହାଣ୍ଡି, କଟକ, କନ୍ଧମାଳ, ପୁରୀ, ଭଦ୍ରକ, ଗଜପତି, ଦେବଗଡ, ବୌଦ୍ଧ ଏବଂ ଗଞ୍ଜାମ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶନୀ ସହିତ ବିକ୍ରି ହେବ । ବିଶେଷ କରି ଗ୍ରାମୀଣ ସାମଗ୍ରୀ ସହିତ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପ୍ରସ୍ତୁତ ହାତ ତିଆରି ସାମଗ୍ରୀ ବିକ୍ରି ହେବ । ପ୍ରତ୍ୟେକ ସଂଧ୍ୟାରେ ଗଞ୍ଜାମ ଜିଲ୍ଲାର ଲୋକକଳା କଳାକାରମାନଙ୍କ ଦ୍ୱାରା ଲୋକକଳା ପ୍ରଦର୍ଶନୀ ସହିତ ସ୍ଥାନୀୟ କଳାକାର, ବଲିଉଡ୍ ଓ ଓଲିଉଡ୍ କଳାକାରଗଣ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଆସନ୍ତା କାଲି ୧୪ ତାରିଖ ଦିନ ସ୍ଥାନୀୟ କଳାକାର ସମେତ ଓଲିଉଡ୍ କଳାକାର ହ୍ୟୁମାନ୍ ସାଗରଙ୍କ ଦଳ କାର୍ଯ୍ୟକ୍ରମ ପରିବେଷଣ କରିବେ । ୧୫ ତାରିଖ ଦିନ ସ୍ଥାନୀୟ କଳାକାରଙ୍କ ସମେତ ଓଲିଉଡ୍ କଳାକାର ଶଶାଙ୍କ ଶେଖର, ଅନ୍ତରା ଚକ୍ରବର୍ତ୍ତୀ, ସୌରିନ, ଶିଳ୍ପୀ, ପ୍ରିନସ୍ ଡ୍ୟାନ୍ସ ଦଳ କାର୍ଯ୍ୟକ୍ରମ ପରିବେଷଣ କରିବେ । ସେହିପରି ୧୬ ତାରିଖ ଦିନ ସ୍ଥାନୀୟ କଳାକାରଙ୍କ କଳା ପ୍ରଦର୍ଶନୀ ସହିତ ତାରିକ୍ ଆଜିଜ୍, ନାଭ୍ୟା ଜାଇତି (ତେଲୁଗୁ ଓଡିଆ), ସତ୍ୟ ବାବୁ (ତେଲୁଗୁ) ଇତ୍ୟାଦି ସେମାନଙ୍କ କାର୍ଯ୍ୟକ୍ରମ ପରିବେଷଣ କରିବାର ଯୋଜନା ରହିଛି । ଛତ୍ରପୁର ମହୋତ୍ସବ ସକାଶେ ଅଂଶ ଗ୍ରହଣ କରିବାକୁ ଥିବା ସମସ୍ତ ଜିଲ୍ଲାର ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ରହିବା ବ୍ୟବସ୍ଥା, ପାନୀୟ ଜଳ, ବିଦ୍ୟୁତ କରଣ, ଆଇନ ଶୃଙ୍ଖଳା ପରିସ୍ଥିତି, ପ୍ରାଥମିକ ଚିକିତ୍ସା, ସଫେଇ, ପୋଲିସ ଦଳ ମୁତୟନ, ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥା ଇତ୍ୟାଦି ସମସ୍ତ ବ୍ୟବସ୍ଥା ସଂପର୍କିତ ଆଲୋଚନା ହୋଇଯାଇଛି । ଏହି ବୈଠକରେ ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ ବରାଳ, ଓରମାସ୍ ଡେପୁଟି ସି.ଇ.ଓ ସତ୍ୟ ସୁନ୍ଦର ଶିବରାମ ପାଇତାଲ, ଓଡିଶା ଜୀବିକା ମିଶନ ଡିପିଏମ୍ ନବୀନ ସେନାପତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ରାଧାକୃଷ୍ଣ ରାମ, ଜିଲ୍ଲା କ୍ରୀଡା ଅଧିକାରୀ ସନ୍ତୋଷ କୁମାର ସାହୁ, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କନିଷ୍ଠ ଯନ୍ତ୍ରୀ, ବିଦ୍ୟୁତ ବିଭାଗୀୟ ଅଧିକାରୀ, ଅଗ୍ନିଶମ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.