
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର, ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ପୁନରୀକ୍ଷଣ -୨୦୨୬ କାର୍ଯ୍ୟକ୍ରମ ଅନ୍ତର୍ଗତ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ତାଲିକା ପ୍ରକାଶ ପାଇଛି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଡ. ନୃପରାଜ ସାହୁ ଏନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଉକ୍ତ ଖସଡ଼ା ଭୋଟର ତାଲିକାର ନକଲ ଉପସ୍ଥିତ ସମସ୍ତ ରାଜନୈତିକ ଦଳର ସଭାପତି/ ପ୍ରତିନିଧି ମାନଙ୍କୁ ପ୍ରଦାନ କରାଯାଇଥିଲା । ଏହି ତାଲିକା ସମ୍ପୃକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀଙ୍କ ନିକଟରେ ଏବଂ ନିର୍ଦ୍ଧାରିତ ସ୍ଥାନରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଉପଲବ୍ଧ ରହିବ । ଏନେଇ ଜିଲ୍ଲାପାଳ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ମତଦାତାଙ୍କୁ ଅନୁରୋଧ କରୁଛନ୍ତି ଯେ, ସେମାନେ ନିଜର ନାମ, ଫଟୋ ଓ ଅନ୍ୟାନ୍ୟ ବିବରଣୀ ଖସଡ଼ା ଭୋଟର ତାଲିକାରେ ଯାଞ୍ଚ କରନ୍ତୁ । ଯଦି କୌଣସି ତ୍ରୁଟି ଥାଏ, ନାମ ଛାଡ଼ି ହୋଇଥାଏ, ଅଯୋଗ୍ୟ ନାମ ଅନ୍ତର୍ଭୁକ୍ତ ହୋଇଥାଏ କିମ୍ବା କୌଣସି ସଂଶୋଧନର ଆବଶ୍ୟକତା ଥାଏ, ତେବେ ନିର୍ଦ୍ଧାରିତ ସମୟସୀମା ୦୫ ଜୁଲାଇ ରୁ ୦୪ ଅଗଷ୍ଟ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରନ୍ତୁ । ଉପରୋକ୍ତ ସମୟ ସୀମା ମଧ୍ୟରେ ହସ୍ତଗତ ହୋଇଥିବା ସମସ୍ତ ଆପତ୍ତି ଓ ଅଭିଯୋଗ ଗୁଡ଼ିକୁ ସଂପୃକ୍ତ ନିର୍ବାଚକ ପଞ୍ଜିକରଣ ଅଧିକାରୀଙ୍କ ଦ୍ଵାରା ତଦନ୍ତ/ ଯାଞ୍ଚ ପରେ ଆଗାମୀ ୦୫ ଜୁଲାଇରୁ ୦୨ ନଭେମ୍ବର ମଧ୍ୟରେ ଫଏସଲା କରାଯିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବିଏଲ୍ଓ, ଇଆର୍ଓ ଓ ଏଇଆର୍ଓ ମାନଙ୍କୁ ଏହି ପ୍ରକ୍ରିୟାକୁ ସ୍ୱଚ୍ଛ, ନିରପେକ୍ଷ ଓ ସୁଗମ ଭାବେ ସମ୍ପନ୍ନ କରିବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ଜନସାଧାରଣଙ୍କ ସୁବିଧା ପାଇଁ ସମସ୍ତ ସମ୍ଭବ ସହାୟତା ମଧ୍ୟ ଯୋଗାଇ ଦିଆଯିବ । ଏକ ନିର୍ଭୁଲ, ସ୍ୱଚ୍ଛ ଏବଂ ସର୍ବସମାବେଶୀ ଭୋଟର ତାଲିକା ଗଣତନ୍ତ୍ରର ମୂଳ ଆଧାର । ତେଣୁ ସମସ୍ତ ରାଜନୈତିକ ଦଳ, ଜନପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି, ସାମାଜିକ ସଂଗଠନ ଏବଂ ସର୍ବସାଧାରଣଙ୍କୁ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିବା ସହ ନିଜ ନିଜ ଅଞ୍ଚଳରେ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ସମସ୍ତଙ୍କ ସହଯୋଗରେ ଆମେ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଏକ ସଠିକ୍, ତ୍ରୁଟିମୁକ୍ତ ଓ ବିଶ୍ୱସନୀୟ ଭୋଟର ତାଲିକା ପ୍ରସ୍ତୁତ କରିପାରିବା । ଏହି ଭୋଟର ତାଲିକା ପ୍ରକାଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ସଭାପତି ଓ ପ୍ରତିନିଧି ପ୍ରମୁଖ ବିଜେପି ସଭାପତି ବେଣୁଧର ଦାସ, ପ୍ରମୋଦ କୁମାର ମହାପାତ୍ର, ସୁଶାନ୍ତ କୁମାର ସାହୁ, କଂଗ୍ରେସର ସୁଧିର କୁମାର ପଣ୍ଡା ଓ ବିଜୁ ଜନତା ଦଳର କଇଁରୁ ସ୍ୱାଇଁ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଓ ଡେପୁଟି କଲେକ୍ଟର ଚିଠା ଭୋଟର ତାଲିକା ପ୍ରକାଶନ, ଆପତ୍ତି ଓ ଅଭିଯୋଗ ନିର୍ଦ୍ଧାରିତ ଫର୍ମରେ ଦାଖଲ ଓ ତାହାର ଅବଧି, ହସ୍ତଗତ ହୋଇଥିବା ଆପତ୍ତି ଓ ଅଭିଯୋଗ ପତ୍ର ଗୁଡ଼ିକର ଫଏସଲା ବିଷୟରେ ବିଷଦ ଭାବେ ଅବଗତ କରାଇଥିଲେ । ଏହି ଅବସରରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।
