
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗ୍ରାମସଭାର ଗଠନ, କାର୍ଯ୍ୟପ୍ରଣାଳୀ ଓ ଗୁରୁତ୍ୱ ଉପରେ ଏକ ନାଟ୍ୟାଭିନୟ ପ୍ରଦର୍ଶିତ ହୋଇଯାଇଛି । ଏହା ମାଧ୍ୟମରେ ଗ୍ରାମର ବିକାଶ, ସ୍ଥାନୀୟ ସମସ୍ୟାର ସମାଧାନ ଓ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜନସାଧାରଣଙ୍କ ଭୂମିକାକୁ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉପାଧ୍ୟକ୍ଷ ଅରବିନ୍ଦ ପାତ୍ର, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କ ସମେତ କେତେକ ଗ୍ରାମବାସୀ ଯୋଗ ଦେଇଥିଲେ । ମୋଟ ୩୫ ଜଣ ଛାତ୍ରଛାତ୍ରୀ ଏହି ନାଟ୍ୟାଭିନୟରେ ଅଂଶଗ୍ରହଣ କରିଥିଲେ । ଗ୍ରାମସଭାରେ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ, ସାମୂହିକ ନିଷ୍ପତ୍ତି ଗ୍ରହଣ ଓ ଗ୍ରାମର ସାମଗ୍ରିକ ବିକାଶରେ ନାଗରିକଙ୍କ ଦାୟିତ୍ୱକୁ ସେମାନେ ଅଭିନୟ ମାଧ୍ୟମରେ ଦର୍ଶାଇଥିଲେ । ଛାତ୍ରଛାତ୍ରୀଙ୍କ ଉତ୍ସାହପୂର୍ଣ୍ଣ ଅଭିନୟ ଓ ସୃଜନଶୀଳ ଉପସ୍ଥାପନା ଉପସ୍ଥିତ ଦର୍ଶକଙ୍କୁ ଆକର୍ଷିତ କରିଥିଲା । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଗ୍ରାମସଭାର ଗୁରୁତ୍ୱ ବୁଝିବା ସହ ନାଗରିକ ଅଧିକାର, କର୍ତ୍ତବ୍ୟ, ସାମାଜିକ ଦାୟିତ୍ୱବୋଧ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ସମ୍ପର୍କରେ ଶିକ୍ଷା ଲାଭ କରିଥିଲେ । ବିଦ୍ୟାଳୟର ସାମାଜିକ ବିଜ୍ଞାନ ବିଭାଗର ଶିକ୍ଷକ ରାଜେଶ ସାହୁ, ଚେତନ ନାୟକ, ଦୀପଙ୍କର ହେମ୍ରମ, କେଶବ କୁମାର ଓ ମାନସୀ ମହାନ୍ତିଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଉପାଧ୍ୟକ୍ଷ ଅରବିନ୍ଦ ପାତ୍ର ଛାତ୍ରଛାତ୍ରୀଙ୍କ ଏହି ପ୍ରୟାସକୁ ପ୍ରଶଂସା କରିଥିଲେ । ଏଭଳି ଶିକ୍ଷଣୀୟ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ଆତ୍ମବିଶ୍ୱାସ ଓ ସାମାଜିକ ସଚେତନତା ବୃଦ୍ଧି କରିବା ସହ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ନାଗରିକ କର୍ତ୍ତବ୍ୟ ପ୍ରତି ସଚେତନ କରିବ ବୋଲି ସେ ମତପ୍ରକାଶ କରିଥିଲେ । ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁରେଶ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।