pakka

ପଦ୍ମପୁର ପାଇକମାଲରେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ନିର୍ବାଚନୀ ପ୍ରଚାର

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୀର ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ବଂଶଜ ପଦ୍ମପୁରବାସୀଙ୍କୁ ଶାସକ ଦଳ ଲୋକ କିମ୍ବା ପ୍ରଲୋଭନ ଦେଖାଇ ପ୍ରଭାବିତ କରିପାରିବ ନାହିଁ ବୋଲି ବୁଧବାର ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ମାଣ୍ଡୋସିଲ ଓ ଅନେକ ସ୍ଥାନରେ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ମାରାଥନ ନିର୍ବାଚନ ପ୍ରଚାର କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେହିପରି ବିଧାନସଭାରେ ରାଜ୍ୟର ମନ୍ତ୍ରୀମାନେ ଦେଇଥିବା ଦେଇଥିବା ତଥ୍ୟ ରାଜ୍ୟ ସରକାରଙ୍କ ପାରିବାପଣିଆକୁ ପଦାରେ ପକାଇଛି ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ପଦ୍ମପୁର ହେଉଛି ବୀର ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହ, ହଟ୍ଟେ ସିଂହ, କୁଞ୍ଜଳ ସିଂହ, ବୈରୀ ସିଂହ ଓ ଐରୀ ସିଂହଙ୍କ ମାଟି । ସ୍ୱଭାବକବି ଗଙ୍ଗାଧର ମେହେରଙ୍କ କର୍ମଭୂମି । ଏହି ପବିତ୍ର ଭୂମିକୁ ଆସିବା ମୋ ପାଇଁ ସୌଭାଗ୍ୟ । ଆଜି ସେହି ବୀର ଓ ସ୍ୱାଭିମାନୀ ମାଟିକୁ ମୋର ପ୍ରଣାମ । ଆଜି ସେହି ମାଟିରେ କଳେ ବଳେ କୌଶଳେ ପଇସା ଲଗେଇ ନିର୍ବାଚନ ଲଢେଇ କରିବାକୁ ଶାସକ ଦଳ ଚେଷ୍ଟା କରୁଛନ୍ତି । ମାତ୍ର ଯେତେ ଚେଷ୍ଟା କଲେ ବି ଶାସକ ଦଳ ଶହୀଦ ମାଧୋ ସିଂହଙ୍କ ବଂଶଜ ପଦ୍ମପୁରବାସୀଙ୍କୁ ଟଙ୍କା ଦେଇ କିଣି ପାରିବେ ନାହିଁ । ପଦ୍ମପୁରରେ ନିଶ୍ଚୟ ପଦ୍ମଫୁଲ ଫୁଟିବ । ଶ୍ରୀ ପ୍ରଧାନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସବୁଠି କହୁଛନ୍ତି, ମୁଁ ଦାୟିତ୍ୱ ନେଉଛି, ସେ କେଉଁଠି ଦାୟିତ୍ୱ ନେଇଛନ୍ତି । ସ୍ଥିତି ଏପରି ହୋଇଛି, ବିଧାନସଭାରେ ଧାମନଗରର ନବନିଯୁକ୍ତ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିବା ନିର୍ବାଚନମଣ୍ଡଳୀର ବିକାଶ କଥା ପଚାରିଲେ ତଥ୍ୟ ସଂଗ୍ରହ କରାଯାଉଥିବା କୁହାଯାଉଛି । ବିଧାନସଭାରେ ବିଧାୟକ ଶ୍ରୀ ନରସିଂହ ମିଶ୍ର ନାରୀ ନିର୍ଯ୍ୟାତନା ପଚାରିଥିବା ପ୍ରଶ୍ନର ଉତ୍ତରରେ ରାଷ୍ଟ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉତ୍ତରରେ ଆସିଛି ରାଜ୍ୟରେ ଧର୍ଷଣ ମାମଲା ୨୦୧୯ରେ ୨୯୫୦ ଥିଲା । ୨୦୨୧ରେ ନିୟନ୍ତ୍ରଣ ହେବା ପରିବର୍ତ୍ତେ ୩୩୨୭ ଧର୍ଷଣ ମାମଲା ଥିବା ମନ୍ତ୍ରୀ ଉତ୍ତର ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଖୋଦ୍ ଗୃହମନ୍ତ୍ରୀ ଅଛନ୍ତି । ଏ କ’ଣ ନାରୀ ସଶକ୍ତିକରଣର ଉଦାହରଣ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପ୍ରଧାନ । ସେହିପରି ବିଧାନସଭାରେ ଶାସକ ଦଳର ବରିଷ୍ଠ ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଗତ ୫ ବର୍ଷରେ କେନ୍ଦ୍ରୀୟ ସହାୟତା ବିନିଯୋଗ ଉପରେ ପଚାରିଥିବା ପ୍ରଶ୍ନ ରାଜ୍ୟ ସରକାରଙ୍କ ଗୁମର ଫିଟାଇଛି । କେନ୍ଦ୍ର ଦେଉଥିବା ପଇସା ରାଜ୍ୟ ସରକାର ଖର୍ଚ୍ଚ ନକରି କେନ୍ଦ୍ର ଉପରେ ଦୋଷ ଲଦୁଛନ୍ତି । ଏହା ବ୍ୟତୀତ ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ତଥ୍ୟରୁ ଜଣାପଡିଛି ୨୦୨୧-୨୨ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ମୋଟ ଋଣ ଭାର ୯୭ ହଜାର ୨୦୫ କୋଟି ୩ ଲକ୍ଷ ଟଙ୍କା ଅଛି । ମୁଣ୍ଡ ପିଛା ଋଣ ଭାରର ପରିମାଣ ହେଉଛି ୨୨ ହଜାର ୪୨ ଟଙ୍କା । ରାଜ୍ୟ ସରକାର ମିଛ ପ୍ରହେଳିକା ରଚନା କରିବାର କୌଣସି ସୁଯୋଗ ନାହିଁ । ରାଜ୍ୟ ସରକାର ନିଜେ ଏ ସବୁ ତଥ୍ୟ ବିଧାନସଭା ଗୃହରେ ଦେଇଛନ୍ତି । ରାଜ୍ୟରେ କା’ ସରକାର ଚାଲିଛି ବୋଲି ପ୍ରଶ୍ନ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଆବାସ ଯୋଜନାରେ ଘର ପାଇଁ ଟଙ୍କା ଦେଉଥିଲେ ମଧ୍ୟ ଘର ଆବଣ୍ଟନରେ ପଶ୍ଚିମ ଓଡ଼ିଶାକୁ ନଗଣ୍ୟ କରାଯାଇଛି । ମୋଦୀ ସରକାର ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଚାଷୀଙ୍କୁ ଟଙ୍କା, ପ୍ରତି ଘରକୁ ପାଇପରେ ପାଣି, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସର ବ୍ୟବସ୍ଥା କରିଛନ୍ତି । ରାଜ୍ୟ ସରକାର ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ ନକରି ମିଲରଙ୍କ ସହ ମଧୁଚନ୍ଦ୍ରିକା କରୁଛନ୍ତି ବୋଲି ସେ କହିଛନ୍ତି । ଗତ ବର୍ଷ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ଧାନର ଏମ୍‌ଏସ୍‌ପି କ୍ୱିଣ୍ଟାଲ ପିଛା ୧୯୪୦ ଟଙ୍କା ଧାର୍ଯ୍ୟ କରିଥିଲେ । ଚଳିତ ବର୍ଷ ଏହି ମୂଲ୍ୟ ୨୦୪୦ ଟଙ୍କା ଧାର୍ଯ୍ୟ କରାଯାଇଛି । ମାତ୍ର ଏଠାରେ ରାଜ୍ୟ ସରକାର ଓ ମିଲରଙ୍କ ମଧୂଚନ୍ଦ୍ରିକା କାରଣରୁ ଧାନ କ୍ୱିଣ୍ଟାଲ ପିଛା ୧୨୦୦ରୁ ୧୩୦୦ ଟଙ୍କାରେ ବିକ୍ରି ହେଉଛି ବୋଲି ସେ କହିଛନ୍ତି । ସୋହେଲାରେ ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା କେନ୍ଦ୍ର ଅନୁଦାନ ବ୍ୟତୀତ ଚାଷୀଙ୍କୁ ଅତିରିକ୍ତ ୧୦୦ ଟଙ୍କା ବୋନସ ରାଜ୍ୟର ଜଣେ ବି ଚାଷୀଙ୍କୁ ମିଳିପାରିନାହିଁ । ମୋଦୀ ସରକାର ଧାନ କିଣା ପାଇଁ ପଇସା ଦେବା ସତ୍ତ୍ୱେ ନବୀନ ସରକାର ଚାଷୀଙ୍କ ପଇସାକୁ ହଡପ କରୁଛନ୍ତି ବୋଲି ସେ କହିଛନ୍ତି । ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ଗଙ୍ଗାଧର ମେହେର କେନାଲ ପ୍ରକଳ୍ପରେ ଏ ଯାଏଁ ମୁନ୍ଦେ ପାଣି ଜମିକୁ ମାଡିନାହିଁ । ପଦ୍ମପୁରରେ ପ୍ରଧାନମନ୍ତ୍ରୀ ଫସଲ ବୀମା ସମ୍ପର୍କରେ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ମନ୍ତବ୍ୟ ଏବଂ ନୂଆପଡ଼ା-ବରଗଡ଼ ରେଳଲାଇନରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଅଭିଭାଷଣ ରାଜ୍ୟ ସରକାରଙ୍କ ପାରିବାପଣିଆକୁ ପଦାରେ ପକାଇଛି ବୋଲି ସେ କହିଛନ୍ତି । ମୋଦୀ ସରକାରଙ୍କ ଅନେକ ସହଯୋଗ ସତ୍ତ୍ୱେ ମଧ୍ୟ କେନ୍ଦୁପତ୍ର ତୋଳାଳିଙ୍କ ଦୁଃଖ ରାଜ୍ୟ ସରକାର ବୁଝୁନାହାନ୍ତି । ଭାତହାଣ୍ଡିରୁ ଗୋଟିଏ ଭାତ ଭଳି ମାଣ୍ଡୋସିଲ ଧାନମଣ୍ଡିରେ କିଛି ସୁବିଧା ନାହିଁ । ସୁନାର ଅଞ୍ଚଳ ବରଗଡ ଓ ମାଣ୍ଡୋସିଲରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜଳସେଚନ, ପାଇପ ଯୋଗେ ପିଇବା ପାଣିର ବ୍ୟବସ୍ଥା ନହେବା ଦୁର୍ଭାଗ୍ୟଜନକ । ଲମ୍ବା ସମୟର ଶାସନରେ ରହିବା ପରେ ମଧ୍ୟ ଯୁବକମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ବୋଲି ସେ କହିଛନ୍ତି । ରାଜ୍ୟରେ ରେଡ୍ ନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁଇଟି ସଂସ୍ଥା ରେଡ୍ କରୁଛି । ଉଭୟ ସଂସ୍ଥାକୁ ନିଜ ନିଜର କାମ କରିବାକୁ ଦିଆଯାଉ । ଗରିବ ଲୋକଙ୍କ ଟଙ୍କା ହଡପ କରିବାର ଅଧିକାର କାହାର ନାହିଁ । କେଉଁଟା କେଉଁଟା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ, ତାହା ସମୟ କହିବ ବୋଲି ସେ କହିଛନ୍ତି । ଶାନ୍ତିପୂର୍ଣ୍ଣ ଅଞ୍ଚଳରେ ବିଜେଡି କଣ ଅହଙ୍କାର ଦେଖାଇବାକୁ ଚାହୁଁଛି । ମତ ପରିବର୍ତ୍ତନ ଭୟରେ ନୀରିହ ଲୋକଙ୍କ ଡରାଯାଉଛି, ଭୟ ଦେଖାଯାଉଛି । ଗରିବ ଜନଜାତିଙ୍କୁ ଡରାଇବା କାମରେ କାହିଁକି ପୋଲିସକୁ ଲଗାଯାଉଛି ? ଆଇନ ତା’ ବାଟରେ ଯାଉ । ଭୟ କଣ ପାଇଁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

jay balangir
Leave A Reply

Your email address will not be published.

3 × 2 =