- ନିଯୁକ୍ତି ପାଇବେ ୮୯ ପୋଲିସ୍ କର୍ମଚାରୀ
- ଦୈନିକ ୩୫ରୁ ୪୫ ହଜାର ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ଦେଖି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି
- ୫-ଟି ଅଧ୍ୟକ୍ଷଙ୍କ କ୍ଷେତ୍ର ସମୀକ୍ଷା ବେଳେ ଏ ସମ୍ପର୍କରେ ହୋଇଥିଲା ଆଲୋଚନା
- ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ନେଲେ ନିଷ୍ପତ୍ତି
ଭୁବନେଶ୍ୱର : ନିକଟରେ ଉଦ୍ଘାଟିତ ହେବାକୁ ଥିବା ଡ. ବାବା ସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲରେ ଏକ ପୋଲିସ୍ ଆଉଟପୋଷ୍ଟ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ଏଥିରେ ୮୯ ଜଣ ପୋଲିସ୍ କର୍ମଚାରୀ ନିଯୁକ୍ତି ପାଇବେ । ସୂଚନାଯୋଗ୍ୟ ଯେ ୫-ଟି ଉପକ୍ରମରେ ଏହି ଆନ୍ତଃରାଜ୍ୟ ବସ୍ ଟର୍ମିନାଲର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବ୍ ଶୀଘ୍ର ଏହା ଲୋକାର୍ପିତ ହେବ । ଏଠାକୁ ଦୈନିକ ୭୦୦ରୁ ୮୦୦ ବସ୍ ଯାତାୟତ କରିବ । ଭବିଷ୍ୟତରେ ବସ୍ ସଂଖ୍ୟା ୧୭୦୦ରୁ ୧୮୦୦କୁ ବୃଦ୍ଧି ପାଇପାରେ । ତା ସହିତ ଦୈନିକ ୩୫ରୁ ୪୫ ହଜାର ଯାତ୍ରୀ ମଧ୍ୟ ଯିବା ଆସିବା କରିବେ ବୋଲି ଆକଳନ କରାଯାଇଛି । ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ବିଭିନ୍ନ ସମୟରେ ନିର୍ମାଣାଧୀନ ଟର୍ମିନାଲକୁ ଯାଇ ଏହାର ଅଗ୍ରଗତି ସମୀକ୍ଷା କରିବା ସମୟରେ ଅଧିକାରୀ ଓ ସ୍ଥାନୀୟ ଲୋକମାନଙ୍କ ସହିତ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ଏଠାରେ ଏକ ପୋଲିସ୍ ଆଉଟପୋଷ୍ଟ ପାଇଁ ପ୍ରସ୍ତାବ ଆସିଥିଲା । ଏ ବିଷୟରେ ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ଏଠାରେ ପୋଲିସ୍ ଆଉଟପୋଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ଟର୍ମିନାଲରେ ଯାତ୍ରୀଙ୍କ ପାଇଁ ରେଷ୍ଟୁରାଣ୍ଟ, ବହୁତଳ କାର ପାର୍କିଂ, ଆହାର କେନ୍ଦ୍ର, ଯାତ୍ରୀଙ୍କ ପାଇଁ ପିକ୍ ଅପ୍ ଏଣ୍ଡ ଡ୍ରପ ଅପ୍ ସୁବିଧା, ୧୪୪ଟି ବସ୍ ୱେ, ସିଟି ବସ୍ ପାଇଁ ବସ୍ ୱେ ଓ ଦୋକାନ ବଜାର ଅନେକ ସୁବିଧା ରହିବ । ଏଥିପାଇଁ ଏଠାରେ ସୁରକ୍ଷା ବ୍ୟବସ୍ଥାର ଗୁରୁତ୍ୱ ଯଥେଷ୍ଟ ଅଧିକ ରହୁଛି । ଏହି ଆଉଟପୋଷ୍ଟରେ ୮୯ଜଣ ପୋଲିସ୍ କର୍ମଚାରୀ ନିଯୁକ୍ତି ପାଇବେ । ଏଥି ମଧ୍ୟରୁ ୨ଜଣ ସବ୍-ଇନ୍ସ୍ପେକ୍ଟର, ୯ଜଣ ଆସିଷ୍ଟାଣ୍ଟ ସବ୍-ଇନ୍ସ୍ପେକ୍ଟର, ୪ଜଣ ହାବିଲଦାର, ୭୨ଜଣ କନଷ୍ଟେବଳ ଓ ୨ଜଣ ଡ୍ରାଇଭର ରହିବେ ।