csstore

ନାବାଳିକାକୁ ଅପହରଣ ତଥା ଡକାୟତି ମାମଲାରେ ସାମିଲ ଥିବା ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ଟିଟିଲାଗଡ଼ ପୋଲିସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ଅକ୍ଟୋବର ୨୨ ତାରିଖରେ ଟିଟିଲାଗଡ଼ ସର୍ଗିଗୁଡ଼ାର ଜଣେ ନାବାଳିକାକୁ ଧରି ଫେରାର ମାରିଥିଲା ଟିଟିଲାଗଡ଼ ନୀଳଚକ୍ର ନଗରର ଆନନ୍ଦ ଦାସ ଓରଫ ଛୋଟୁ । ତେବେ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଟିଟିଲାଗଡ଼ ପୋଲିସ ଖୋଜା ଖୋଜି ଆରମ୍ଭ କରିଥିଲା । ତେବେ ବାରମ୍ବାର ଝିଅକୁ ଧରି ସ୍ଥାନ ପରିବର୍ତ୍ତନ କରି ଫେରାର ମାରୁଥିଲା ଅଭିଯୁକ୍ତ । ଟିଟିଲାଗଡ଼ ପୋଲିସ ଅନୁସନ୍ଧାନ କରି ଗୁଜୁରାଟ ଯିବା ପାଇଁ ବାହାରୁଥିବା ବେଳେ ଟିଟିଲାଗଡ଼ ରେଳଷ୍ଟେସନରୁ ଉଭୟଙ୍କୁ ଧରିବାରେ ସଫଳ ହୋଇଛି । ତେବେ ନାବାଳିକାକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ପୋଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି । ଏହା ସହ ଗିରଫ ହୋଇଥିବା ଅଭିଯୁକ୍ତ ଆନନ୍ଦ ଦାସ ଓରଫ ଛୋଟୁ ପୂର୍ବରୁ ହୋଇଥିବା ଦୁଇଟି ଡକାୟତି ମାମଲାରେ ମଧ୍ୟ ସାମିଲ ଥିବା ପୋଲିସ ପ୍ରକାଶ କରିଛି । ଡାଟା ଏଣ୍ଟ୍ରି ଓପରେଟରଙ୍କ ଠାରୁ ଲୁଟ ଅଭିଯୋଗରେ ଏବଂ ହାଟପଦା ପଡ଼ା ଡକାୟତି ମାମଲାରେ ମଧ୍ୟ ସଂଶ୍ଳିଷ୍ଟ ଥିବା ପୋଲିସ କହିଛି । ଅଭିଯୁକ୍ତ ଆନନ୍ଦ ଦାସ ଠାରୁ ନଗଦ ୭୭୦୫ ଟଙ୍କା, ଗୋଟିଏ ଭଙ୍ଗା କାଚ ମଦ ବୋତଲ, ଗୋଟିଏ ଛୁରି, ଗୋଟିଏ ଓପୋ ମୋବାଇଲ, ହିରୋ ସପ୍ଲେଣ୍ଡର ବାଇକ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଏସ୍‌ଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନ ଓ ଥାନାଧିକାରୀ ଶ୍ରୀମତୀ କଲ୍ୟାଣୀ ବେହେରା ଟିଟିଲାଗଡ଼ ଥାନାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି କେସ୍‌ର ତଦନ୍ତ ଦାୟିତ୍ୱ ତୁଲାଇଥିଲେ ଏସ୍‌ଆଇ ଖଗେଶ୍ୱର ମାଝୀ, କିରଣ କୁମାର ଜାନି ଏବଂ ଟିଟିଲାଗଡ଼ ପୋଲିସର ଅନ୍ୟାନ୍ୟ କର୍ମଚାରୀ ।

jayashree
Leave A Reply

Your email address will not be published.