
- ମୟୂରଭଞ୍ଜରେ ବାଲ୍ୟ, ଅଳ୍ପ ବୟସ ଓ ବାଧ୍ୟତାମୂଳକ ବିବାହ ନିରାକରଣ ଦିବସ ପାଳିତ
ବାରିପଦା, (ଦେବସ୍ମିତ ଚୌଧୁରୀ) : ବାଲ୍ୟବିବାହ ମୁକ୍ତ ଭାରତ ଗଠନ ଲକ୍ଷ୍ୟରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ବାଲ୍ୟ, ଅଳ୍ପ ବୟସ ଏବଂ ବାଧ୍ୟତାମୂଳକ ବିବାହ ନିରାକରଣ ଅନ୍ତର୍ଜାତୀୟ ଦିବସ’ ପାଳିତ ହୋଇଛି । ଏହି ଅବସରରେ ଜିଲ୍ଲା ସମ୍ମିଳନୀ କକ୍ଷରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ସହ ବାଲ୍ୟବିବାହ ରୋକିବା ପାଇଁ ସାମୂହିକ ଶପଥ ଗ୍ରହଣ କରାଯାଇଥିଲା। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଂଯୁକ୍ତା ମହାରଣାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ବିଜୟ କୁମାର ଦାସ ମୁଖ୍ୟ ଅତିଥି ଏବଂ ଡିଏସ୍ପି ନିରୁପମା ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ସୁରକ୍ଷା ଅଧିକାରୀ ସସ୍ମିତା ମହାନ୍ତି ସ୍ୱାଗତ ଭାଷଣ ଦେବା ସହ ଦିବସ ପାଳନର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ମତ ରଖିଥିଲେ । ଏହି ଅବସରରେ ଶିଶୁମାନଙ୍କୁ ବାଲ୍ୟବିବାହ, ଅଳ୍ପ ବୟସରେ ବିବାହ ଏବଂ ବାଧ୍ୟତାମୂଳକ ବିବାହରୁ ସୁରକ୍ଷା ଦେବା ପାଇଁ ସମସ୍ତେ ଏକଜୁଟ ହୋଇ ଶପଥ ନେଇଥିଲେ । ଏଥିସହ ‘ବାଲ୍ୟବିବାହ ମୁକ୍ତ ଭାରତ ପୋର୍ଟାଲ’ ମାଧ୍ୟମରେ ଅନଲାଇନ୍ ଶପଥ ଗ୍ରହଣ କରି ଏହି ସାମାଜିକ କୁପ୍ରଥାର ମୂଳୋତ୍ପାଟନ ପାଇଁ ନିଜ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ବାଲ୍ୟବିବାହ ଓ କିଶୋରୀ ଗର୍ଭଧାରଣ ରୋକିବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଏବଂ ମିଳିତ କାର୍ଯ୍ୟକୁ ଆହୁରି ମଜବୁତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଶିଶୁଙ୍କ ଅଧିକାର ଓ ସୁରକ୍ଷା ନିଶ୍ଚିତ କରିବା ସହ ବାଲ୍ୟବିବାହ ରୋକିବାରେ ସମାଜର ପ୍ରତ୍ୟେକ ବର୍ଗର ସକ୍ରିୟ ଭୂମିକା ରହିବା ଆବଶ୍ୟକ ବୋଲି ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ, ଶ୍ରମ, ଶିକ୍ଷା ଓ ଶିଶୁ ସୁରକ୍ଷା ବିଭାଗର ଅଧିକାରୀଙ୍କ ସମେତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଚାଇଲ୍ଡ ହେଲ୍ପଲାଇନ୍, DHEW କର୍ମଚାରୀ, ବିଭିନ୍ନ ନାଗରିକ ସମାଜ ଓ ଏନ୍ଜିଓ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହାସହ ପୂଜକ, କ୍ୟାଟେରର୍, ଫୁଲ ସଜାଉଥିବା ବ୍ୟକ୍ତି, ଟେଣ୍ଟ ହାଉସ୍ ମାଲିକ, ଗାଡ଼ି ମାଲିକ ଓ ଫଟୋଗ୍ରାଫରଙ୍କ ଭଳି ବିବାହ ଆୟୋଜନ ସହ ଜଡ଼ିତ ସେବା ପ୍ରଦାନକାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ବାଲ୍ୟବିବାହ ରୋକିବା କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ବରଂ ଏହା ଏକ ସାମୂହିକ ସାମାଜିକ ଦାୟିତ୍ୱ। ଶିଶୁମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ସୁରକ୍ଷିତ ଜୀବନ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଏହି ଦିବସରେ ଆହ୍ୱାନ ଦିଆଯାଇଥିଲା । ଶେଷରେ ଜିଲ୍ଲା ସୁରକ୍ଷା ଅଧିକାରୀ ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।