
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଅନଧିକୃତ ଭାବେ ଯକ୍ଷ୍ମା ରୋଗ ପରୀକ୍ଷା ପାଇଁ କଫ ସଂଗ୍ରହ ଓ ପରୀକ୍ଷା କରିବା ମାମଲାରେ ଭବାନୀପାଟଣା ଘୋଡ଼ଘାଟ ସ୍ଥିତ ମା’ ମାଣିକେଶ୍ୱରୀ ମଲ୍ଟି ସ୍ପେସାଲିଟି ହସ୍ପିଟାଲକୁ ଶକ୍ତ ଝଟକା ଲାଗିଛି । ଏହି ମାମଲାର ବିଚାର କରି ସମ୍ପୃକ୍ତ ହସ୍ପିଟାଲକୁ ୨୫ଲକ୍ଷ ଟଙ୍କାର ଜରିମାନା କରିଛନ୍ତି କଳାହାଣ୍ଡି ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ । ଆୟୋଗର ଅଧ୍ୟକ୍ଷ ଅଶ୍ୱିନୀ କୁମାର ପାତ୍ର ଏବଂ ସଦସ୍ୟା ଜ୍ୟୋସ୍ନାରାଣୀ ମିଶ୍ରଙ୍କ ଖଣ୍ଡପୀଠ ଖାଉଟି ଅଭିଯୋଗ ମାମଲା ନଂ ୨୫୦/ ୨୦୨୫ର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ସୂଚନା ଅନୁଯାୟୀ, ଜନୈକା ୧୦ ବର୍ଷିୟା ନାବାଳିକାଙ୍କ କଫର ଏଏଫ୍ବି ପରୀକ୍ଷା ବାବଦକୁ ଏହି ହସ୍ପିଟାଲ ୧୨୦୦ ଟଙ୍କା ନେଇଥିଲା । ତେବେ ନାବାଳିକାଙ୍କ ପିତା ରଞ୍ଜନ କୁମାର ପାତ୍ର ଆର୍ଟିଆଇ ବଳରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ତଥ୍ୟ ମାଗିବାରୁ ସମ୍ପୃକ୍ତ ହସ୍ପିଟାଲ ଯକ୍ଷ୍ମା ରୋଗ ନିରୂପଣ କେନ୍ଦ୍ର କିମ୍ବା ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଏନ୍ଇଟିପି ଅଧୀନରେ ଅନୁମୋଦିତ କଫ ସଂଗ୍ରହ କେନ୍ଦ୍ର ନଥିବା ସ୍ପଷ୍ଟ ଜଣା ପଡିଥିଲା । ଅନଧିକୃତ କଫ ସଂଗ୍ରହ ଦ୍ୱାରା ଅନ୍ୟ ରୋଗୀଙ୍କ ପ୍ରତି ସଂକ୍ରମଣ ବିପଦ ଥିବାରୁ ଆୟୋଗ ଏହାକୁ ସେବାରେ ଘୋର ଅବହେଳା ଓ ପ୍ରତାରଣାମୂଳକ କାର୍ଯ୍ୟ ବୋଲି ଦର୍ଶାଇଛନ୍ତି । ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ହସ୍ପିଟାଲ କର୍ତ୍ତୃପକ୍ଷ ତୁରନ୍ତ କଫ ନମୁନା ସଂଗ୍ରହ ବନ୍ଦ କରିବା ସହ ୨୫ ଲକ୍ଷ ଟଙ୍କା ରାଜ୍ୟ ଖାଉଟି କଲ୍ୟାଣ ପାଣ୍ଠିରେ ଜମା କରିବେ । ଏଥିସହ ନାବାଳିକାଙ୍କ ଶାରୀରିକ ଓ ମାନସିକ ଯନ୍ତ୍ରଣା ବାବଦକୁ ୫ଲକ୍ଷ ଟଙ୍କା ଯାହା ନାବାଳିକାଙ୍କୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ଜାତୀୟକରଣ ବ୍ୟାଙ୍କରେ ଜମା ରହିବ, ପରୀକ୍ଷା ଫି’ ୧୨୦୦ ଟଙ୍କା ଫେରସ୍ତ ଏବଂ ମାମଲା ଖର୍ଚ୍ଚ ବାବଦକୁ ୨୫ହଜାର ଟଙ୍କା ପ୍ରଦାନ କରିବେ । ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଓ କଳାହାଣ୍ଡି ସିଡିଏମ୍ଓ ନିଜ ନିଜ ପକ୍ଷରୁ ୫୦ ହଜାର ଟଙ୍କା ଲେଖାଏଁ ନାବାଳିକାଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ହୋଇଛି । ଏହା ବ୍ୟତୀତ ସମ୍ପୃକ୍ତ ହସ୍ପିଟାଲକୁ ସରକାରୀ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ବାଦ୍ ଦେବା ସହ ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତର ଯେପରି ସ୍ପଷ୍ଟ ଓ ବଡ଼ ଅକ୍ଷରରେ ପ୍ରେସକ୍ରିପସନ୍ ଲେଖିବେ, ତାହା ନିଶ୍ଚିତ କରିବାକୁ ଆୟୋଗ ଆଦେଶ ଦେଇଛନ୍ତି । ୩୦ଦିନ ମଧ୍ୟରେ ଏହି ନିର୍ଦ୍ଦେଶ ପାଳନ ନହେଲେ ବାର୍ଷିକ ୯ ପ୍ରତିଶତ ସୁଧ ଲାଗୁହେବ ବୋଲି ଆୟୋଗ ସ୍ପଷ୍ଟ କରିଛନ୍ତି ।