
କଟକ : କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ କଟକ ସହରରେ କମିଶନରେଟ ପୋଲିସ ପାକିସ୍ତାନୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି । ଗତ ଦୁଇଦିନ ହେବ ଏହି ପ୍ରକ୍ରିୟା ତ୍ୱରାନ୍ୱିତ କରିଛି ପୋଲିସ । ଏଯାଏଁ କଟକ ସହରରେ ୩ଜଣ ପାକିସ୍ତାନୀ ନାଗରିକ, ନାବାଳକ ରହିଥିବା ପୋଲିସ ରେକର୍ଡରୁ ଜଣାପଡିଛି । ଏହି ପାକିସ୍ତାନୀଙ୍କ ମଧ୍ୟରେ ଜଣେ ବୃଦ୍ଧ ରହିଛନ୍ତି, ଯିଏକି ବହୁ ବର୍ଷ ହେବ ଦୀର୍ଘ ମିଆଦି ଭିସାରେ ଆସି କଟକରେ ରହୁଛନ୍ତି । ସମ୍ପୃକ୍ତ ବୃଦ୍ଧ ଜଣକ ଏବେ ପରିଣତ ବୟସରେ ପହଞ୍ଚିଥିବା କୁହାଯାଉଛି । ସେହିପରି ଚିହ୍ନଟ ହୋଇଥିବା ଅନ୍ୟ ଦୁଇ ଜଣ ହେଲେ ନାବାଳକ । ଚିହ୍ନଟ ନାବାଳକ ଦୁଇ ଜଣଙ୍କ ମା ଭାରତୀୟ ଓ ବାପା ପାକିସ୍ତାନୀ ହୋଇଥିବା କାରଣରୁ ପିଲା ଦୁଇ ଜଣ ସରକାରୀ ରେକର୍ଡରେ ପାକିସ୍ତାନୀ ବୋଲି କୁହାଯାଉଛି । ତେବେ ଭାରତୀୟ ମହିଳା ଓ ପାକିସ୍ତାନୀ ପୁରୁଷଙ୍କର ବିବାହ ବିଚ୍ଛେଦ ଘଟିଛି । ସମସ୍ତ ପାକିସ୍ତାନୀ ନାଗରିକଙ୍କୁ କମିଶନରେଟ ପୋଲିସ ପକ୍ଷରୁ ନୋଟିସ ଜାରି କରାଯାଇଛି । ଏ ସମ୍ପର୍କରେ ଗୃହ ମନ୍ତ୍ରାଳୟକୁ ଅବଗତ କରାଯିବ । ଗୃହ ବିଭାଗ ଯାହା ନିଷ୍ପତ୍ତି ନେବ, ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପି କହିଛନ୍ତି ।