pakka

ପିଲାଙ୍କୁ ପାଠ ପଢ଼ାଇଲେ ସରପଞ୍ଚ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବହାଲ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ଏକ ନିଆରା ପ୍ରୟାସ । ସଦାବେଳେ ସମାଜସେବା କରି ଚର୍ଚ୍ଚାରେ ରହି ଆସୁଥିବା ସରପଞ୍ଚ ଅର୍ପିତା ପଣ୍ଡା ସରପଞ୍ଚ ହେଲା ପରଠୁ ଆଉ ଚୁପ୍ ହୋଇ ବସିନାହାନ୍ତି । ସବୁଦିନ କିଛି ନା କିଛି କରିବାର ଉଦ୍ୟମ କରିଥାନ୍ତି । ହଠାତ୍ ଆଜି ସକାଳୁ ନିଜର ସହଯୋଗୀ ୱାର୍ଡ ସଭ୍ୟା ରିତା ମଲ୍ଲିକ ଏବଂ ୱାର୍ଡ ସଭ୍ୟ ମୀନକେତନ ଭଏଁସାଲଙ୍କୁ ସାଥୀରେ ନେଇ କୁଲିଆରି ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିଥିଲେ । ପ୍ରଥମେ ସ୍କୁଲରେ ଭଙ୍ଗା ଦଦରା ଅବସ୍ଥାରେ ପଡ଼ି ରହିଥିବା କୋଠରୀମାନଙ୍କୁ ଦେଖିସାରିବା ପରେ ଶିକ୍ଷକମାନଙ୍କ ସହିତ କିଛି ସମୟ ସ୍କୁଲର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରି ମଧ୍ୟାହ୍ନ ଭୋଜନ କି ଭଳି ଭାବରେ ଚାଲିଛି ତାହା ତଦାରଖ କରିଥିଲେ । ଶିକ୍ଷକମାନଙ୍କ ସହିତ ବିଦ୍ୟାଳୟ ଭିତ୍ତିଭୂମି ବିଷୟରେ ଆଲୋଚନା କଲାପରେ ଜାଣିବାକୁ ପାଇଥିଲେ ଯେ, ଏଠାରେ ପ୍ରଥମରୁ ଅଷ୍ଟମ ଯାଏଁ ୯୧ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ଅଛନ୍ତି । ଗୋଟାଏ ଶ୍ରେଣୀ କୋଠରୀରେ ଏକାଧିକ ଶ୍ରେଣୀର ଛାତ୍ରଛାତ୍ରୀମାନେ ପାଠ ପଢୁଛନ୍ତି । ଯାହା ଫଳରେ ପାଠ ପଢାରେ ଅନେକ ବାଧା ସୃଷ୍ଟି ହେଉଛି । ଗୋଟାଏ ମାତ୍ର ଶୌଚାଳୟ ଥିବାରୁ ଉଭୟ ଛାତ୍ର ଛାତ୍ରୀ ବ୍ୟବହାର କରିବା ସମ୍ଭବ ହେଉନାହିଁ । ସ୍କୁଲରେ ଆଉ ୨ଟି ଶ୍ରେଣୀ କୋଠରୀ ଏବଂ ଗୋଟାଏ ଶୌଚାଳୟ ନିହାତି ଆବଶ୍ୟକତା ରହିଛି । ସେହିପରି ଦୀର୍ଘ ଦିନରୁ ତିଆରି ହୋଇଥିବା ପୁରୁଣା ରୋଷେଇ ଘରରେ ପର୍ଯ୍ୟାପ୍ତ ଜାଗାର ଅଭାବ ଯୋଗୁ ରୋଷେଇ କାର୍ଯ୍ୟରେ ବାଧା ହେଉଥିବାର ଅଭିଯୋଗ କରିଥିଲେ ସ୍କୁଲରେ କାର୍ଯ୍ୟରତ ପାଚିକା ସହାୟିକା । ସ୍କୁଲରେ ପିଲାଙ୍କ ସହ କିଛି ସମୟ କାଟିଲା ପରେ ସେମାନଙ୍କୁ ପାଠ ପଢ଼ାଇଥିଲେ ସରପଞ୍ଚ । ଖୁବ୍ ଶୀଘ୍ର ବିଡ଼ିଓ ମହାଶୟଙ୍କ ସହ ଆଲୋଚନା କରି ସ୍କୁଲ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରର ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ ସରପଞ୍ଚ ଅର୍ପିତା ପଣ୍ଡା ।

Leave A Reply

Your email address will not be published.

twelve − 1 =