
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ସହରରେ ନିର୍ମାଣାଧୀନ ନୂତନ ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟକୁ ଜିଲ୍ଲାପାଳ ଦେବାଶିଷ ସିଂହ ପରିଦର୍ଶନ କରିଛନ୍ତି । ନିର୍ମାଣ ସ୍ଥଳକୁ ଯାଇ ସେ କାମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ସମୟରେ ଠିକା ସଂସ୍ଥାର ଅଧିକାରୀ ଓ ଉପସ୍ଥିତ ଯନ୍ତ୍ରୀମାନଙ୍କ ସହ ଆଲୋଚନା କରି କାର୍ଯ୍ୟକୁ ଗୁଣାତ୍ମକ ମାନ ବଜାୟ ରଖି ଶୀଘ୍ର ଶେଷ କରିବାକୁ କଡ଼ା ତାଗିଦ କରିଛନ୍ତି ଜିଲ୍ଲାପାଳ । ବର୍ତ୍ତମାନ ଫାଉଣ୍ଡେସନ ଓ ପିଲର ପାଇଁ ରଡ ବାନ୍ଧିବା କାମ ଚାଲିଥିବା ବେଳେ ଜିଲ୍ଲାପାଳ ନିଜେ ନିର୍ମାଣ କାର୍ଯ୍ୟ ଦେଖିଥିଲେ । ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ବସଷ୍ଟାଣ୍ଡ କାମ ସାରିବା ପାଇଁ ସେ ନିର୍ଦେଶ ଦେଇଛନ୍ତି । ଏହି ନୂତନ ବସଷ୍ଟାଣ୍ଡ ନିର୍ମାଣ ହେଲେ ସୁବର୍ଣ୍ଣପୁରବାସୀଙ୍କ ଦୀର୍ଘଦିନର ସମସ୍ୟା ବହୁ ମାତ୍ରାରେ ଦୂର ହେବ ବୋଲି ଆଶା କରାଯାଉଛି ।