jayashree

ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ

  • ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ

ବରଗଡ଼, (ନିରୋଜ କୁମାର ପାଣୀ) : ଓଡ଼ିଶାର ମହାନ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା ‘ବଡ଼ମା’ ଭାବେ ପରିଚିତ ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀ ଅବସରରେ ତାଙ୍କ ସ୍ମୃତିରେ ସ୍ମାରକ ଡାକଟିକଟ ଜାରି କରିବା ନେଇ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବି ନୂଆ ଆଶା ସୃଷ୍ଟି କରିଛି । ଏ ସମ୍ପର୍କରେ ଲୋକ ସଭାରେ ନିୟମ ୩୭୭ ଅଧୀନରେ ସାଂସଦ ଶ୍ରୀ ପୁରୋହିତ ୨୪ ଜୁଲାଇ ୨୦୨୬ରେ ମାମଲା ଉଠାଇ ଥିଲେ । ସାଂସଦ ତାଙ୍କ ଦାବିରେ କହିଥିଲେ ଯେ, ୧୯ ଜାନୁଆରୀ ୧୯୨୬ରେ ଜନ୍ମଗ୍ରହଣ କରିଥିବା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀ ୨୦୨୬ରେ ପୂରଣ ହେଉଛି । ମାତ୍ର ୧୬ ବର୍ଷ ବୟସରେ ସେ ମହାତ୍ମା ଗାନ୍ଧୀଙ୍କ ବିଚାରରେ ପ୍ରଭାବିତ ହୋଇ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ହୋଇଥିଲେ । କାରାବାସ ସହିବା ସହ ଇଂରେଜ ଶାସନ ବିରୋଧରେ ସାହସର ସହ ଲଢ଼ିଥିଲେ । ସ୍ୱାଧୀନତା ପରେ ମଧ୍ୟ ସେ ସମାଜସେବା, ମହିଳା ସଶକ୍ତୀକରଣ, ଶିକ୍ଷା, ସ୍ୱାସ୍ଥ୍ୟ ଓ ବଞ୍ଚିତ ଶିଶୁଙ୍କ କଲ୍ୟାଣ ପାଇଁ ଜୀବନ ଉତ୍ସର୍ଗ କରିଥିଲେ । ତାଙ୍କ ଅବଦାନକୁ ଜାତୀୟ ସ୍ତରରେ ସ୍ମରଣୀୟ କରିବା ପାଇଁ ‘ବଡ଼ମା’ଙ୍କ ଜୀବନୀ ଉପରେ ଆଧାରିତ ଏକ ଜାତୀୟ ବାୟୋଗ୍ରାଫିକ୍‌ ତଥ୍ୟ ପ୍ରସ୍ତୁତ ଓ ପ୍ରଦର୍ଶନ କରିବା ସହ ଭାରତୀୟ ଡାକ ବିଭାଗ ପକ୍ଷରୁ ତାଙ୍କ ନାମରେ ସ୍ମାରକ ଡାକଟିକଟ ଜାରି କରିବାକୁ ସାଂସଦ ଦାବି କରିଥିଲେ । ଏହାର ଉତ୍ତରରେ କେନ୍ଦ୍ର ଯୋଗାଯୋଗ ତଥା ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ୍. ସିନ୍ଧିଆ ୩ ସେପ୍ଟେମ୍ବର ୨୦୨୬ରେ ସାଂସଦଙ୍କୁ ପତ୍ର ଦେଇଛନ୍ତି । ପତ୍ରରେ କୁହାଯାଇଛି ଯେ, ସ୍ମାରକ ଡାକଟିକଟ ଜାରି ସମ୍ପର୍କିତ ମାମଲାକୁ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି । ଆଗାମୀ ବୈଠକରେ ଫିଲାଟେଲିକ୍ ଆଡଭାଇଜରୀ କମିଟି ସମ୍ମୁଖରେ ଏହି ପ୍ରସ୍ତାବ ରଖାଯିବ ବୋଲି ମନ୍ତ୍ରୀ ଶ୍ରୀ ସିନ୍ଧିଆ ଜଣାଇଛନ୍ତି । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଫଳରେ ବୀରାଙ୍ଗନା ପାର୍ବତୀ ଗିରିଙ୍କ ଅମର ଅବଦାନକୁ ଜାତୀୟ ସ୍ତରରେ ସମ୍ମାନ ଓ ସ୍ମରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଆଶା ସୃଷ୍ଟି ହୋଇଛି ।

Leave A Reply

Your email address will not be published.