
ବଲାଙ୍ଗିର, (କେପିଏନ୍ଏସ୍) : ଜଙ୍ଗଲ ଜମିରେ ବେଆଇନ ବୋରୱେଲ୍ ଖନନ ଅଭିଯୋଗ । ପ୍ରକଳ୍ପକୁ ତୁରନ୍ତ ରଦ୍ଦ କରିବାକୁ ଦାବି କଲେ ଗ୍ରାମବାସୀ । ବଲାଙ୍ଗିର ସଦର ବ୍ଲକ ଅଧୀନ ଶିବତାଲା ପଞ୍ଚାୟତର ଆଡେନଡୁଙ୍ଗୁରୀ ଗ୍ରାମରେ ଏଭଳି ଅଭିଯୋଗ ହୋଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗ୍ରାମ୍ୟ ସଂରକ୍ଷିତ ପତ୍ରା ଜଙ୍ଗଲ ଜମିରେ ଆମ୍ବପାଲି-କର୍ଲାପିଟା ଗ୍ରାମର ଗୋବରାଜ ପଟେଲ ନିଜସ୍ୱ ବ୍ୟବହାର ପାଇଁ ଓଡ଼ିଶା ଉଠା ଜଳସେଚନ ପ୍ରକଳ୍ପ, ଅର୍ଥାତ୍ ଓଏଲ୍ଆଇସି ମାଧ୍ୟମରେ ବୋରୱେଲ୍ ଖନନ କରିଛନ୍ତି । ଏପରିକି ୨୦୧୬ ମସିହା ସେପ୍ଟେମ୍ବର ୯ ତାରିଖରେ ବିଦ୍ୟୁତ୍ ସଂଯୋଗ ମଧ୍ୟ ଦିଆଯାଇଥିବା ଆବେଦନରେ ଉଲ୍ଲେଖ ରହିଛି । ତୁରନ୍ତ ପ୍ରକଳ୍ପକୁ ରଦ୍ଦ କରିବା ସହ ବିଦ୍ୟୁତ୍ ସଂଯୋଗ ଓ ପମ୍ପ ସ୍ଥାପନ ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି ଗ୍ରାମବାସୀ । ଉଠା ଜଳ ସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ତୁରନ୍ତ ଘଟଣା ସମ୍ପର୍କରେ ଅବଗତ ହୋଇ ଉଚିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।