କବିରାଜ ପଣ୍ଡିତ ଦଶରଥ ମିଶ୍ରଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଜଣାଶୁଣା କବିରାଜ ପଣ୍ଡିତ ଦଶରଥ ମିଶ୍ର (୯୦ବର୍ଷ) ଙ୍କର ଆଜି ତାଙ୍କ ମାଳପଡାସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି । ବାର୍ଦ୍ଧକ୍ୟଜନିତ କାରଣରୁ ଗତ କିଛିଦିନ ହେଲା ସେ ଅସୁସ୍ଥ ଥିଲେ ଓ ଆଜି ସକାଳ ୯.୩୦ରେ ତାଙ୍କର ପରଲୋକ ହୋଇଯାଇଥିଲା । ଏହି ଖବର ପ୍ରଚାରିତ ହେବାପରେ ବଲାଙ୍ଗିର ବିଭିନ୍ନ ମହଲରେ ଶୋକର ଛାୟାଖେଳିଯାଇଛି ।ସେ ବଲାଙ୍ଗିର ନାଗରିକ କମିଟି, ସଂସ୍କୃତ ପରଷଦ, ଜିଲ୍ଲା ବ୍ରାହ୍ମଣ ମହସଭା, ମାଳପଡା ନାଗରିକ କମିଟି ଇତ୍ୟାଦି ସାମାଜିକ ସଂଗଠନ ସହିତ ଜଡିତ ଥିଲେ । ସୋନପୁର ଜିଲ୍ଲା ବାବବାହାଲି ଗ୍ରାମର ମୂଳନିବାସୀ ପଣ୍ଡିତ ମିଶ୍ର ଛାତ୍ରାବସ୍ଥାରେ ବଲାଙ୍ଗିର ଚାଲିଆସି ସଂସ୍କୃତ ଓ ଆୟୁର୍ବେଦ ଶିକ୍ଷା ଆରମ୍ଭ କରିଥିଲେ । ଆୟୁର୍ବେଦରେ ଉଚ୍ଚଶିକ୍ଷାପରେ ବଲାଙ୍ଗିର ସଂସ୍କୃତ ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଚାକିରି ଜୀବନ ଆରମ୍ଭ କରିଥିଲେ । ଏହାପରେ ବଲାଙ୍ଗିର ଆୟୁର୍ବେଦ ମହାବିଦ୍ୟାଳୟ ସ୍ଥାପନରେ ପ୍ରମୁଖ ଭୂମିକା ନେଇ ସେଠାରେ ଆୟୁର୍ବେଦ ଅଧ୍ୟାପକ ଭାବରେ ଯୋଗଦେଇଥିଲେ । ଦୀର୍ଘବର୍ଷ ଜଣେ ଆୟୁର୍ବେଦ ଆଚାର୍ଯ୍ୟ (ଅଧ୍ୟାପକ) ଭାବରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବା ସହିତ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇଥିଲେ । ଅଧ୍ୟାପକ ଚାକିରିରୁ ଅବସର ନେଲାପରେ ନିଜେ କୁମାର ଫାର୍ମାନାମକ ଏକ ଆୟୁର୍ବେଦିକ କମ୍ପାନୀ ଖୋଲି ଔଷଧ ତିଆରି ଲୋକଙ୍କୁ ସେବାରେ ନିୟୋଜିତ ଥିଲେ । ଏହା ସହିତ ବିଭିନ୍ନ ସାମାଜିକ ସଂଗଠନ ସହିତ ନିଜକୁ ସାମିଲ କରିଥିଲେ । ଆଜି ମୃତ୍ୟଶର୍ଯ୍ୟା ନିକଟରେ ତାଙ୍କର ବଡପୁଅ ଡାକ୍ତର ସନ୍ତୋଷ ମିଶ୍ର, ଡାକ୍ତର ଅଶୋକ ମିଶ୍ର, ସାମ୍ବାଦିକ ଅରୁଣକୁମାର ମିଶ୍ର, ଦୁଇଝିଅ ପଦ୍ମିନୀ ଓ ନଳିନୀଙ୍କ ସହିତ ବୋହୁ ଓ ନାତିନାତୁଣିମାନେ ଉପସ୍ଥିତ ଥିଲେ । ଅପରାହ୍ନରେ ସ୍ଥାନୀୟ ବିଭୁତିପଡା ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବଡପୁଅ ଡାକ୍ତର ସନ୍ତୋଷ ମିଶ୍ର ମୁଖାଗ୍ନୀ ଦେଇଥିଲେ । ଶବାଧାରରେ ବଲାଙ୍ଗିରର ବହୁ ବିଶିଷ୍ଟବ୍ୟକ୍ତି ଓ ସଂଗଠନର କର୍ମକର୍ତ୍ତାମାନେ ସାମିଲ ଥିଲେ ।

Leave A Reply

Your email address will not be published.