jayashree

ଆର୍ତ୍ତତ୍ରାଣ ସିଂହଦେଓଙ୍କ ପୁଅ ତେଜ ବାହାଦୁରଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବରିଷ୍ଠ କଂଗ୍ରେସ ନେତା ଆର୍ତ୍ତତ୍ରାଣ ସିଂହଦେଓ ଓ ଶରତ ମଂଜରୀ ସିଂହଦେଓଙ୍କ ମଧ୍ୟମ ପୁତ୍ର ତେଜ ବାହାଦୁର ସିଂହଦେଓ (ନୁନୁ) ୫୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଗତକାଲି ସନ୍ଧ୍ୟାରେ ପାଟଣାଗଡ ଅଂଚଳର ଲୁହାସିଂହା ଗ୍ରାମରୁ ବଲାଙ୍ଗିର ପଟକୁ ଏକ ବୁଲେଟ ଯୋଗେ ଆସୁଥିବା ବେଳେ ତାଙ୍କ ବୁଲେଟ ରାସ୍ତାକଡରେ ଥିବା ଏକ ଗଛରେ ପିଟି ହୋଇଯାଇ ସେ ଅଚେତ ହୋଇଯାଇଥିଲେ । ମୁଣ୍ଡରେ ଆଘାତ ବାଜିଥିବାରୁ ପାଟଣାଗଡ ସବ୍ ଡିଭିଜ୍‌ନାଲ୍‌ ହସ୍‌ପିଟାଲ୍‌କୁ ଆଣାଯାଇଥିଲା । ଯେଉଁଠାରେ କି ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ତାଙ୍କ ମୃତ ଶରୀରକୁ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜର ପୋଷ୍ଟମର୍ଟମ୍‌ ଗୃହରେ ବ୍ୟବଚ୍ଛେଦ କରାଯିବା ପରେ ତାଙ୍କୁ ଘରକୁ ଅଣାଯାଇଥିଲା । ଯେଉଁଠାରେ କି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର, ରଣରାଜ ସିଂହଦେଓ, ଡା. ବାସୁଦେବ ପତି, ଶତୃଘ୍ନ ସିଂହ, ଧିରେନ୍ଦ୍ର ନାରାୟଣ ସିଂହଦେଓ, ଧୃବରାଜ ସିଂହଦେଓ, ମାନଭଞ୍ଜନ ଯୋଷୀ, ଜିତେନ୍ଦ୍ର ସ୍ୱାଇଁ, ସୁମନ ଶତପଥି, ଡା. ପ୍ରତାପ ରୁଦ୍ର ସିଂହଦେଓ, ସୁରୁଲାଲ ମଟାରୀ, ସୁରେଶ ମିଶ୍ର, ଦିଲୀପ ବେରିଆ, ବୁଲୁ ଦାନି, ଅରୁଣ ପଣ୍ଡା, ବୁଟୁ ସୁତାର, ଜୁଲୁ ପଟ୍ଟନାୟକ, ଲିଟିରେରି ଏଣ୍ଡ ସୋସିଆଲ କ୍ଲବର ସଂପାଦକ ଅସୀତ ମିଶ୍ର, କଂଗ୍ରେସ ନେତା ମନୀଷ ମିଶ୍ରଙ୍କ ସମେତ ଅନେକ ଶୁଭେଚ୍ଛୁ, ସାମାଜିକ କର୍ମୀ ପ୍ରମୁଖ ତାଙ୍କ ଶେଷଦର୍ଶନ କରିଥିଲେ । ପରେ ଅପରାହ୍ନ ଘ.୪.୩୦ମି. ରେ ସ୍ଥାନୀୟ ବିଭୁତିପଡା ସ୍ଥିତ ଶ୍ମଶାନରେ ତେଜବାହାଦୁରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କର ସାନ ଭାଇ ରିପୁମର୍ଦ୍ଧନ ସିଂହଦେଓ ମୁଖାଗ୍ନି ଦେଇଥିଲେ । ତେଜବାହାଦୁରଙ୍କ ଏପରି ଅସମୟରେ ଦୁର୍ଘଟଣା ଜନିତ ମୃତ୍ୟୁ ଯୋଗୁଁ ପୁରୁଣା ରାଜଭାଟି ତଥା ଆଖପାଖ ଅଂଚଳରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଯାଇଛି । ପରିବାରରେ ତାଙ୍କର ବାପା, ମାଆ, ଦୁଇ ଭାଇ, ଦୁଇ ଭଉଣୀ, ପୁତୁରା ଝିଆରି, ଭଣଜା, ଭାଣିଜି ଏବଂ ପରିବାର ବର୍ଗ ଏବଂ ଶୁଭେଚ୍ଛୁ ଶେଷ ଯାତ୍ରାରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.