
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମସେଠ ଗାଁର ଧର୍ମପରାୟଣ ବ୍ୟକ୍ତି ରାଜିନ୍ଦ୍ର ରଣା(୯୫)ଙ୍କର ଗୁରୁବାର ଅପରାହ୍ନରେ ପରଲୋକ ଘଟିଛି । ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ସରଳ, ମିଷ୍ଟଭାଷୀ ଓ ଧର୍ମପରାୟଣ ବ୍ୟକ୍ତି ଭାବେ ଅଞ୍ଚଳରେ ପରିଚିତ ଥିଲେ । ଗାଁର ବିଭିନ୍ନ ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ସେ ସକ୍ରିୟ ଭାବେ ଜଡିତ ରହୁଥିଲେ । ତାଙ୍କ ମୃତ୍ୟୁ ବେଳକୁ ପତ୍ନୀଙ୍କ ସହିତ ତିନି ପୁଅ ସୁଦର୍ଶନ ରଣା, ଉଗ୍ରସେନ ରଣା ଓ ସୁଶାନ୍ତ ରଣା, ପୁତ୍ରବଧୂ, ନାତିନାତୁଣୀ ଏବଂ ଅନେକ ବନ୍ଧୁବାନ୍ଧବଙ୍କୁ ଛାଡ଼ି ଚାଲିଯାଇଛନ୍ତି । ଗୁରୁବାର ସନ୍ଧ୍ୟାରେ ତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା । ଜ୍ୟେଷ୍ଠ ପୁଅ ସୁଦର୍ଶନ ରଣା ମୁଖାଗ୍ନି ଦେଇଥିଲେ । ଅନ୍ତିମ ସଂସ୍କାର ସମୟରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଗ୍ରାମବାସୀ ଓ ସମ୍ପର୍କୀୟମାନେ ଉପସ୍ଥିତ ରହି ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।