
ସୁନ୍ଦରଗଡ଼, (କେପିଏନ୍ଏସ୍) : ଗରିବ ହିତାଧିକାରୀଙ୍କୁ ସରକାରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ମିଳୁଥିବା ଅର୍ଥ ମୁକ୍ତ କରାଇବା ବଦଳରେ ଲାଞ୍ଚ ଦାବି କରିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପୌର କର୍ମଚାରୀ । ବିରମିତ୍ରପୁର ପୌରପାଳିକାରେ କାର୍ଯ୍ୟରତ ଜଣେ ଇନଫ୍ରାଷ୍ଟ୍ରକଚର ଏକ୍ସପର୍ଟଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଧରିଥିବା ଜଣାପଡ଼ିଛି । ଗିରଫ କର୍ମଚାରୀ ହେଉଛନ୍ତି ବୈବସ୍ୱତ ମନୁ ରାଉତ । ସେ ବିରମିତ୍ରପୁର ପୌରପାଳିକାରେ ଇନଫ୍ରାଷ୍ଟ୍ରକଚର ଏକ୍ସପର୍ଟ ଭାବେ କାର୍ଯ୍ୟ କରୁଥିଲେ । ଭିଜିଲାନ୍ସ ସୂତ୍ରରୁ ମିଳିଥିବା ଅଭିଯୋଗ ଅନୁସାରେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ ଅଧୀନରେ ଜଣେ ଆଦିବାସୀ ହିତାଧିକାରୀଙ୍କ ଘର ନିର୍ମାଣ ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା । ଏଥିମଧ୍ୟରୁ ବକେୟା ଥିବା ୧ ଲକ୍ଷ ୩୦ ହଜାର ଟଙ୍କା ମୁକ୍ତ କରିବା ପାଇଁ ଅଭିଯୁକ୍ତ କର୍ମଚାରୀ ୩୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଛି । ହିତାଧିକାରୀ ବାରମ୍ବାର ବକେୟା ଟଙ୍କା ମୁକ୍ତ କରିବାକୁ ଅନୁରୋଧ କରିଥିଲେ ମଧ୍ୟ ଲାଞ୍ଚ ନଦେଲେ ଫାଇଲ୍ ଆଗକୁ ବଢ଼ାଯିବ ନାହିଁ ବୋଲି ଅଭିଯୁକ୍ତ କହୁଥିବା ଅଭିଯୋଗ ରହିଛି । ଆର୍ଥିକ ଅନଟନ ଯୋଗୁଁ ଲାଞ୍ଚ ଦେବାକୁ ଅସମର୍ଥ ଥିବା ହିତାଧିକାରୀ ଶେଷରେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପାଇବା ପରେ ଭିଜିଲାନ୍ସ ପକ୍ଷରୁ ଯୋଜନାବଦ୍ଧ ଭାବେ ଜାଲ ବିଛାଯାଇଥିଲା । ନଭେମ୍ବର ୨୮ ତାରିଖରେ ଅଭିଯୁକ୍ତ ୩୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା । ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୧୪ ରୁଜୁ ହୋଇଛି । ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଚାଲିଛି । ସରକାରୀ ଯୋଜନାରେ ଘର ପାଇବାକୁ ଅପେକ୍ଷା କରିଥିବା ଗରିବ ଓ ଆଦିବାସୀ ହିତାଧିକାରୀଙ୍କଠାରୁ ଲାଞ୍ଚ ଦାବି ହେବା ଘଟଣା ଏବେ ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି । ଏହି ଘଟଣାରେ ଭିଜିଲାନ୍ସର ତଦନ୍ତ ଜାରି ରହିଛି ।