ଛତ୍ରପୁରର ଧର୍ମପରାୟଣ ବ୍ୟକ୍ତି ଜଗବନ୍ଧୁ ପାଣିଗ୍ରାହୀଙ୍କ ପରଲୋକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ବିଶିଷ୍ଟ ଧର୍ମପରାୟଣ ବ୍ୟକ୍ତି, ଆଧ୍ୟାତ୍ମିକବାଦୀ, ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ଜଗବନ୍ଧୁ ପାଣିଗ୍ରାହୀ (୮୨)ଙ୍କ ପରଲୋକ ହୋଇଯାଇଛନ୍ତି । ସେ ନିଃଶ୍ୱାସ ତ୍ୟାଗ କରିବା ଯାଏଁ ଛତ୍ରପୁରର ଶ୍ରୀ ଜଗନ୍ନାଥ ମନ୍ଦିରର ପରିଚାଳକ ଦାୟିତ୍ଵ ବହନ କରିଆସିଥିଲେ । ଛତ୍ରପୁରର ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ନିର୍ମାଣ ଶୈଳୀ ଓ ସ୍ଥାପନା, ଜଗନ୍ନାଥ ସଂସ୍କୃତି ପ୍ରଚାର, ବିବିଧ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ପ୍ରଚଳନ ବିଧାନ ଆଦି ତାଙ୍କରି ଉଦ୍ୟମରେ ସଫଳ ରୂପାୟନର ସମ୍ଭବପର ହୋଇପାରିଛି । ଏଥିପାଇଁ ସେ ଛତ୍ରପୁର ବାସୀଙ୍କର ଚିର ଅମର ହୋଇ ରହିବେ ବୋଲି ସାଧାରଣରେ ଗଣନା କରାଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥତା ଭିତ୍ତିରେ ଗତି କରି ଆସିଥିବା ବେଳେ ଶୁକ୍ରବାର ମଧ୍ୟରାତ୍ରିରେ ଭୁବନେଶ୍ୱରସ୍ଥ କିମସ୍ ହସ୍ପିଟାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ, ପୁତ୍ର, କନ୍ୟା ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କ ପାର୍ଥିବ ଶରୀରକୁ ଛତ୍ରପୁର ତାଡେପଲ୍ଲୀ ସାହିସ୍ଥ ବାସଭବନକୁ ଅଣାଯାଇ ଏକ ଶୋଭାଯାତ୍ରାରେ ପାଲିଆ – ଛତ୍ରପୁର ଶ୍ମଶାନକୁ ନିଆଯାଇ ସେଠାରେ ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ କରାଯାଇଛି । ସେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହେଡ୍‌ କ୍ଲର୍କ ଭାବେ ନିଜର କର୍ମମୟ ଜୀବନ ଅତିବାହିତ କରି ଆସିବା ସାଂଗକୁ ଶ୍ରୀ ଜଗନ୍ନାଥ ମନ୍ଦିରର ଅଦ୍ୟାବଧି ପରିଚାଳକ ଭାବେ ଦାୟିତ୍ଵ ତୁଲାଇ ଆସିଥିଲେ । ତାହାଙ୍କ ବିୟୋଗରେ ଛତ୍ରପୁର ସହରରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

5 × 2 =