
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଲୋଇସିଂହା ବ୍ଲକ ସ୍ତରୀୟ ତ୍ରିରଙ୍ଗା ଯାତ୍ରା ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ତ୍ରିରଙ୍ଗା ଶୋଭାଯାତ୍ରା ଲୋଇସିଂହା କଲେଜ ଛକ ଠାରୁ ବାହାରି ବ୍ଲକଛକ, ପୁରୁଣା ବସଷ୍ଟାଣ୍ଡ ଦେଇ ଅଗ୍ରସେନ ଭବନ ପର୍ଯ୍ୟନ୍ତ ଯାଇଥିଲା । ଲୋଇସିଂହା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟପାଣି ଉଡ୍ଡୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ପୁରୁଷ ଓ ମହିଳା ହାତରେ ତ୍ରିରଙ୍ଗା ଧରି ମୁଖ୍ୟ ରାସ୍ତାରେ ଶୋଭାଯାତ୍ରା କରିଥିଲେ । ହର ଘର ତ୍ରିରଙ୍ଗା ଅଭିଯାନକୁ ଲୋଇସିଂହାବାସୀ ସଫଳ କରିଛନ୍ତି, ଯାହା ଦେଶପ୍ରେମ ଓ ଏକତାର ସନ୍ଦେଶ ଦେଉଛି ବୋଲି ବିଡ଼ିଓ ପ୍ରକାଶ କରିଥିଲେ । ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ଲୋଇସିଂହା ଏବିଡ଼ିଓ କିଶୋର ମାନସିଂ, ଜିପିଇଓ ସଞ୍ଜୟ ମାଝୀ, ଏଇଇ ସିଦ୍ଧାର୍ଥ ପାଢ଼ୀ, ସିଡିପିଓ ରଜନୀରାଣୀ ମେହେର, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିନିଧି ଗୌରାଙ୍ଗ ନାଏକ, ସରପଞ୍ଚ ନବକିଶୋର ନାଏକ, ଲୋଇସିଂହା ମହାବିଦ୍ୟାଳୟର ଅଧ୍ୟକ୍ଷ ଦେବଦତ୍ତ ଗୁରୁଙ୍କ ସମେତ ଛାତ୍ରଛାତ୍ରୀ, ଆଶା ତଥା ଅଙ୍ଗନବାଡି କର୍ମୀ, ବିଭିନ୍ନ ସ୍ୱୟଂ ସହାୟକ ଦଳର ସଦସ୍ୟା ସାମିଲ ହୋଇଥିଲେ ।