- ସମ୍ବିଧାନରେ ଜନଜାତିଙ୍କ ସୁରକ୍ଷାକୁ ସ୍ଥାନିତ କରିଥିଲେ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ର : ମୁକେଶ ମହାଲିଙ୍ଗ
- ଉଚ୍ଚ ବିଦ୍ୟାଳୟର ବିକାଶ ପାଇଁ ଏକ ବଡ ପ୍ୟାକେଜ ଅଣାଯିବ : ମୁକେଶ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱର୍ଗତ ଯୁଧିଷ୍ଠିର ମିଶ୍ରଙ୍କ ଜିବନୀକୁ ଦେଖିଲେ ତାଙ୍କର ଅନେକ କାର୍ଯ୍ୟକଳାପ ଆଜି ବି ଅନାଲୋଚିତ ଭାବେ ରହିଛି । ଯଦିଓ ତାଙ୍କ କାର୍ଯ୍ୟଧାରା ଲୋକଙ୍କ ପ୍ରତି ତାଙ୍କର ଚିନ୍ତାଧାରା ଦେଶର ସମ୍ବିଧାନରେ ଲିପିବଦ୍ଧ ଅଛି ତଥାପି ମଧ୍ୟ ଏପରି କିଛି ଅବଦାନ ଅଛି ଯାହା ଦ୍ୱାରା ସେ କାଳ କାଳ ପାଇଁ ସ୍ମରଣିୟ ରହିବ । ତାହା ହେଲା ସମ୍ବିଧାନ ପ୍ରଣେତା ସଭାରେ ଜନଜାତିଙ୍କ ସୁରକ୍ଷାର କଥା । ସ୍ୱର୍ଗତ ମିଶ୍ର ସମ୍ବିଧାନ ପ୍ରଣୟନ ସମୟରେ ଦେଶର ଅଗଣିତ ଜନଜାତିଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ ଯାହାକି ପରବର୍ତ୍ତି ସମୟରେ ସମ୍ବିଧାନରେ ସ୍ଥାନୀତ ହୋଇଥିଲା । ଏହା ହେଉଛି ଦେଶର ଅଗଣିତ ଜନଜାତିଙ୍କ ପ୍ରତି ତାଙ୍କର ଗୋଟିଏ ବଡ ଅବଦାନ ବୋଲି ସ୍ୱର୍ଗତ ଯୁଧିଷ୍ଠିର ମିଶ୍ରଙ୍କ ୧୧୧ତମ ଜନ୍ମ ଜୟନ୍ତି ପାଳନ ଅବସରରେ ଛତାମଖନା ପଂଚାୟତ ସ୍ଥିତ ଯୁଧିଷ୍ଠିର ମିଶ୍ର ଉଚ୍ଚ ବିଦ୍ୟାଳୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ନିଜ ବକ୍ତବ୍ୟରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଛତାମଖନା ମାଟି ଅନେକ ମହାପୁରୁଷଙ୍କୁ ଜନ୍ମ ଦେଇଛି । ଆଗାମୀ ଦିନରେ ଆହୁରି ମହାପୁରୁଷ ଯେ ଏ ଅଂଚଳରୁ ଜନ୍ମ ନେଇ ମାଟି ମାତୃକା ସେବାରେ ଆସିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ଯୁଧିଷ୍ଠିର ଉଚ୍ଚ ବିଦ୍ୟାଳୟର ବିକାଶ ପାଇଁ ୧୦ଲକ୍ଷ ଟଙ୍କା ନିଜ ଅନୁଦାନ ପାଣ୍ଠିରୁ ଅନୁଦାନ ପ୍ରଦାନ କରି ଏକ ବାଳିକା କମନ ରୁମ୍ ସହ ଟୟଲେଟ ଗୃହର ଶୁଭ ଭିତ୍ତିପ୍ରସ୍ତର ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ଯୋଗ ଦେଇ କଲେଜର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ସେ ବିଧାୟକ ଥିବା ସମୟରେ ଡବ୍ଲୁଓଡିସି ତରଫରୁ ଉଚ୍ଚ ବିଦ୍ୟାଳୟର ଉନ୍ନତି ପାଇଁ ଅଣାଯାଇଥିବା ୫୦ଲକ୍ଷ ଟଙ୍କାର ଅନୁଦାନ ରାଶି ଆଜି ପର୍ଯ୍ୟନ୍ତ ଉଚ୍ଚ ବିଦ୍ୟାଳୟକୁ ଆସିପାରିନଥିବାରୁ ସେ ଉପରେ ମୁଖ୍ୟ ଅତିଥି ମୁକେଶ ମହାଲିଙ୍ଗ ପଦକ୍ଷେପ ନିଅନ୍ତୁ ବୋଲି କହିଥିଲେ । ତା ସହ ଏ ଅଂଚଳରେ ଏକ ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ପାଇଁ ମନ୍ତ୍ରୀ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଥିଲେ । ମୁଖ୍ୟବକ୍ତା ସଂଜିବ କୁମାର ପ୍ରଧାନ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ରଙ୍କ ଜିବନୀ ଆଲୋଚନା କରି କହିଥିଲେ ଯେ ଯୁଧିଷ୍ଠିର ମିଶ୍ର ରେଭେନ୍ସା ମହାବିଦ୍ୟାଳୟ ପାଠ ପଢୁଥିବା ବେଳେ ୧୯୩୮ ମସିହାରେ ଇଷ୍ଟ ହଷ୍ଟେଲରେ ଇଂରେଜ ପତାକାକୁ ହଟେଇ ଜାତୀୟ ପତାକା ଉତ୍ତୋଳନ କରାଇଥିଲେ । ଏଥିରୁ ତାଙ୍କର ସାହସିକତା, ଜାତୀୟ ବୋଧତା ଓ ସ୍ୱାଧିନତା ଆନ୍ଦୋଳନ ପ୍ରତି ଥିବା ତାଙ୍କ ଅନୁରକ୍ତିର ପ୍ରମାଣ ମିଳେ । ଆଇନ ପାଠ ଅଧ୍ୟୟନ ପାଇଁ ବିହାରର ପାଟଣା ଯାଇଥିବା ବେଳେ ସେ ବାମପନ୍ଥି ଆନ୍ଦୋଳନରେ ଜଡିତ ହୋଇ ଛାତ୍ର ଯୁବକ କୃଷକ ଶ୍ରମିକଙ୍କ ଅବହେଳିତଙ୍କ ସ୍ୱାର୍ଥ ଲଢେଇରେ ସାମିଲ ହୋଇଥିଲେ । ଛାତ୍ର ସମୟରେ ଏଆଇଏସ୍ଏଫ୍ ଛାତ୍ର ସଂଗଠନର ରାଜ୍ୟ ସାଧାରଣ ସଂପାଦକ ପଦବିରେ ରହି ଛାତ୍ରଙ୍କ ସୁରକ୍ଷା ପାଇଁ ଲଢେଇରେ ଅବତିର୍ଣ୍ଣ ହୋଇଥିଲେ । ପରବର୍ତ୍ତି ସମୟରେ ବଲାଙ୍ଗିର ପ୍ରତ୍ୟାବର୍ତ୍ତନ କରି ଆଇନ ବୃତ୍ତିରେ ନିଜକୁ ନିୟୋଜିତ କରି କୃଷକ ଦଳ ଗଠନ କରିବା ସହ ପ୍ରଜାମଣ୍ଡଳ ଆନ୍ଦୋଳନରେ ସାମିଲ ହୋଇଥିଲେ । ପରବର୍ତ୍ତି ସମୟରେ ଡ. ବି.ଆର. ଆମ୍ବେଦକରଙ୍କ ନେତୃତ୍ୱରେ ଗଠିତ ସମ୍ବିଧାନ ପ୍ରଣେତା ସଦସ୍ୟ ଏବଂ ପରବର୍ତ୍ତି ସମୟରେ ୧୯୫୦-୫୨ ଦୁଇ ବର୍ଷ ପାଇଁ ଦେଶର ପାଲ୍ୟାମେଣ୍ଟରେ ସଦସ୍ୟ ଥିଲେ । ସ୍ୱର୍ଗତ ଯୁଧିଷ୍ଠିର ମିଶ୍ର ଜଣେ ଜନନାୟକ ଥିଲେ ଏଥି ପାଇଁ ଯେ ତାଙ୍କର କାର୍ଯ୍ୟଶୈଳିର ସକରାତ୍ମକ ପ୍ରଭାବ ପରବର୍ତ୍ତି ପିଢି ପାଇଁ ଆଜି ପର୍ଯ୍ୟନ୍ତ କାମରେ ଆସୁଛି ବୋଲି ମୁଖ୍ୟବକ୍ତା ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟରେ କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଛତିଶଗଡରେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ପ୍ରକାଶ ଚନ୍ଦ୍ର ହୋତା ଯୋଗ ଦେଇ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ରଙ୍କ ବର୍ତ୍ତମାନର ସମାଜକୁ ଅବଦାନ ଉପରେ ଆଲୋକପାତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ଅଧ୍ୟକ୍ଷ ଧନଞ୍ଜୟ ସେଠ, ଦୈତାରି ପୁଝାରୀ, ପବିତ୍ର ଦଣ୍ଡସେନା ପ୍ରମୁଖ ପରିଚାଳନା କରିଥିବା ବେଳେ ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।