pakka

ଆଜି ପୁଅ ଜିଉଁତିଆ ଓଷା

ବରଗଡ଼/ସମ୍ବଲପୁର, (ସତ୍ୟନାରାୟଣ ପ୍ରଧାନ) : ମାଆମାନେ ପୁଅର ଦୀର୍ଘ ଜୀବନ କାମନା କରି ଏବଂ ବିବାହିତା ନାରୀ, ବନ୍ଧ୍ୟା ଓ ପୁତ୍ରହରା ନାରୀମାନେ ପୁତ୍ରଲାଭ ପାଇଁ ପାଳନ କରିଥାନ୍ତି ଦୂତୀ ବାହନ ଓଷା । ଦୂତୀ ବାହନ ଓଷା (ଦୁତିଆ ଓଷା, ଦୂତୀଆ ଓଷା, ପୁଅ ଜିଉଁତିଆ ଓଷା, ଦୁତିବାମନ ଓଷା ବା ଜୀମୂତବାହନ ଉପବାସ ନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ ଓଷା । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହା ଭିନ୍ନ ଭିନ୍ନ ନାମରେ ଜଣାଶୁଣା । ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହା “ପୁଅ ଜିଉଁତିଆ” ନାମରେ ଏକ ମୁଖ୍ୟ ଓଷା ଭାବେ ପାଳିତ ହେଉଥିବା ବେଳେ ବାକି କେତେକ ସ୍ଥାନରେ “ଦୁତିଆ/ଦୂତୀଆ” ବା “ଦୂତୀ ବାହନ ଓଷା” ନାମରେ ପାଳିତ । ଜନନୀମାନେ ପୁଅର ଦୀର୍ଘ ଜୀବନ କାମନା କରି ଏବଂ ବିବାହିତା ନାରୀ, ବନ୍ଧ୍ୟା ଓ ପୁତ୍ରହରା ନାରୀମାନେ ପୁତ୍ରଲାଭ କରିବା ଆଶାରେ ଏହି ନିର୍ଜଳା ଉପବାସ କରି ଓଷା ପାଳନ କରିଥାନ୍ତି । ଏହା ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୋଇଥାଏ ଏହି ଦିନ ମା’ମାନେ ସାରା ଦିନ ଜଳସ୍ପର୍ଶ ନ କରି ଉପବାସ କରିଥାନ୍ତି । ଆୟୁର୍ବେଦ ଅନୁସାରେ ଯୁଇର ବନ୍ଧ୍ୟା ନିରାକରଣ ଶକ୍ତି ଥିବାରୁ ଏହାର ବ୍ୟବହାର କରାଯାଏ । ଅପାମାର୍ଗ ବାତନାଶକ ହୋଇଥିବାରୁ ଏହାର ବ୍ୟବହାର ନାରୀମାନଙ୍କ ସନ୍ତାନଲାଭ ପାଇଁ ହିତକର ହୋଇଥାଏ । ଗଜାମୁଗ ଓ ଚଣାରେ ପୁଷ୍ଟିସାର ତାହା ମଧ୍ୟ ସ୍ୱାସ୍ଥ୍ୟ ପକ୍ଷେ ହିତକର ।

ପାଳନ ବିଧି :
ଏହି ବ୍ରତର ଉପାସ୍ୟ ଦେବତା ଜିମୂତ ବାହନ । ଓଡ଼ିଆ କବି ପୁରୁଷୋତ୍ତମ ଦାସଙ୍କ ରଚିତ “ଦୂତୀଆ ଓଷା କଥା”ରେ ଜିମୂତବାହନ ସୂର୍ୟ୍ୟଙ୍କ ପୁଅ ବୋଲି ଅଭିହିତ କରାଯାଇଛି । କେବଳ ସଧବା ନାରୀମାନେ ଏହି ଓଷା କରିଥାନ୍ତି । ଜିଉଁତିଆର ପୂର୍ବ ଦିନ ଓଷା କାରିଣୀମାନେ ନଦୀ କିମ୍ବା ପୋଖରୀ ତୁଠକୁ ଭଲ ଭାବରେ ପରିଷ୍କାର କରିଦିଅନ୍ତି । ୧୦୮ ଅକ୍ଷତ ଅରୁଆ ଚାଉଳ, ୧୦୮ ଦୁବ, ନାନାପ୍ରକାରର ଫୁଲ ଓ ଆଖୁ, କଦଳୀ, କନ୍ଦମୂଳ, ନଡ଼ିଆ, ଗଜା ମୁଗ, ବଡ଼ଚଣା, ସୋଲା, ନାରଙ୍ଗ, ପାନ, କାକୁଡି, କମଳା, ଜହ୍ନି, କଖାରୁ ଆଦି୨୧ ପ୍ରକାରର ଫଳ ଓ ପରିବା ଆଣିଥାନ୍ତି । ସପ୍ତମୀ ରାତ୍ରିରେ ଚିଲ ଓ ଶିଆଳକୁ ମନେମନେ ସ୍ମରଣକରି ତା’ପରଦିନ ପ୍ରଭାତରୁ ତାଙ୍କୁ ଯାଇ ଭେଟିବାକୁ ହୁଏ । ସ୍ନାନ ଶେଷକରି ସେହି ଦିନଯାକ ନିର୍ଜଳା ଉପବାସ କରିବାକୁ ପଡ଼େ । ସନ୍ଧ୍ୟା ସମୟରେ ପୂଜା ସ୍ଥାନକୁ ପବିତ୍ର କରି ସେଠାରେ ଗୋଟିଏ କୋଠି ତିଆରି କରାଯାଏ । ଚାରିପାଖରୁ ମାଟିଖୋଳି ନେଇ ମଝିଟିକୁ ଛାଡ଼ି ଦିଆଯାଏ ସତେ ଯେମିତି ଚାରିପାଖରେ ପାଣି ରହିଲେ ମଝି ଅଂଶ ଗୋଟିଏ ଦ୍ୱୀପପରି ଜଣାପଡ଼ିବ । ଏହି କୋଠି ଅତି କମରେ ଦୁଇହାତ ଲମ୍ବା ହେବା ଦରକାର । ତା’ମଝିରେ ତୁଳସୀଗଛ ଲଗାଯାଏ ଏବଂ କଦଳୀ ଗଛ ପୋତାଯାଏ ।
ଖୋଳାଯାଇ ଏକ ବିଲ ତିଆରି କରି ତହିଁରେ ବାଲି ଦେଇ ବେଦୀ ନିର୍ମାଣ କରାଯାଇଥାଏ । ବେଦୀର ପୂର୍ବ ପାଖରେ ସୂର୍ଯ୍ୟ ଓ ପଶ୍ଚିମ ପାଖରେ ଏକ କଦଳୀ ଗଛକୁ ଜିମୂତବାହନଙ୍କ ପ୍ରତୀକ ରୂପେ ପୂଜା କରାଯାଇଥାଏ । ଲେଉଟିଆ ଶାଗ ବ୍ୟତୀତ ଅନ୍ୟାନ୍ୟ ପନିପରିବାକୁ ନେଇ ବ୍ୟଞ୍ଜନ ପ୍ରସ୍ତୁତ କରି ଖିରିପିଠା ଇତ୍ୟାଦି ପ୍ରସ୍ତୁତ କରି ସନ୍ଧ୍ୟାରେ ସ୍ନାନ କରି ଗଙ୍ଗାମାତାଙ୍କୁ ପୂଜା କରି ରାତିରେ ଦୂତୀବାହନଙ୍କୁ ଫଳ ଭୋଗ ଦେଇ ଓଷାର ଉପାଖ୍ୟାନ ଶୁଣିଥା’ନ୍ତି । ଯଦି କେହି ଅପୁତ୍ରିକ ଥାଆନ୍ତି ତା’ହେଲେ ବାସ ଓ ଯୁଇ ଡାଳ ଆଣି ତାରି ପାଖରେ ପୋତି ରଖନ୍ତି । ବିଭିନ୍ନ ବର୍ଣ୍ଣର ମୁରୁଜ କରି ସୂର୍ୟ୍ୟ ଦେବତାଙ୍କର କାଳ୍ପନିକ ଚିତ୍ର ଆଙ୍କି, ଚିଲ ଏବଂ ଶିଆଳକୁ ଉତ୍ତରରେ ରଖି ପଶ୍ଚିମରେ ଦୂତୀବାହନଙ୍କୁ ସ୍ଥାପନ କରି ଥାଆନ୍ତି । ବ୍ରତ ଧାରଣ କରିଥିବା ନାରୀମାନେ ବାଲିରେ ଚିଲ ଏବଂ ଶିଆଳର ଚିତ୍ର ଆଙ୍କି ଅପାମାର୍ଗ କାଠିରେ ଦାନ୍ତ ଘସିଥାନ୍ତି । ସେଦିନ ସମସ୍ତେ ଶୁକ୍ଳବସ୍ତ୍ର ପରିଧାନ କରନ୍ତି । ଏଥିପାଇଁ ଯୋଗାଡ଼ କରିଥିବା ୨୧ପ୍ରକାର ଫଳ ଓ ପରିବାକୁ ଚାଙ୍ଗୁଡ଼ିରେ ଥୋଇ ତା’ ଉପରେ ଗୋଟିଏ ନୂଆଲୁଗା ପକାଇ ଆସ୍ଥାନ ପାଖରେ ନେଇ ରଖାଯାଏ । ତା’ସହିତ କଉଡ଼ି, ଚଉରାଅଶୀଟା ଗୁଆ ସେହି କୋଠି ଭିତରେ ପକାଇବାକୁ ହୁଏ । ଏହି ପ୍ରକାର ବିଧିରେ ଓଷା ଶେଷକରି ଓଷା ଦ୍ରବ୍ୟକୁ ନିଜେ ନଖାଇ ରାତି ନ ପାହୁଣୁ ସ୍ନାନ କରି ବିବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ସମସ୍ତଙ୍କୁ ବାଣ୍ଟି ଦିଆଯାଏ । ସାଧାରଣତଃ ଅପୁତ୍ରିକ ପୁତ୍ର ଲାଭ ଆଶାରେ ଓଷା ଶେଷରେ ଓଷାରେ ବ୍ୟବହୃତ ପୂଜା ସାମଗ୍ରୀକୁ ଓଷାକାରିଣୀମାନେ ଗିଳିବା ବା ଚୋବାଇବାର ପରମ୍ପରା ରହିଛି । ତା’ସହିତ ଧୂପଦୀପ ଦେଇ ତାଙ୍କୁ ପୂଜା କରନ୍ତି । ପୂଜା ଶେଷକରି ସୂର୍ଯ୍ୟଦେବତାଙ୍କୁ ପ୍ରଣାମକରି ଏକମୁହାଁ ହୋଇ ଘରକୁ ଲେଉଟି ଆସନ୍ତି । ଓଷାର ପରଦିନ ସେମାନେ ନୂଆ ଲୁଗା ପିନ୍ଧି ଘରେ ପୂର୍ଣ୍ଣ କୁମ୍ଭ ବସାଇ ଗୋଟିଏ ସ୍ଥାନକୁ ଗୋବର ପାଣିରେ ଲିପି ପୋଛି ରନ୍ଧାବଢ଼ା କରିଥିବା ଜିନିଷକୁ ସେଇଠାରେ ଥୋଇ ଦିଅନ୍ତି । କୁମ୍ଭ ଆଗରେ ଦୀପ ଜାଳି ପୂଜା ସ୍ଥଳରେ ୧୦୮ ଚାଉଳ ଓ ୧୦୮ ଦୁବ ସହ ଏକ କଷି କାକୁଡ଼ିକୁ ଶାଳପତ୍ରରେ ବାନ୍ଧି ପୁଅମାନଙ୍କୁ ବନ୍ଦାଇଥାନ୍ତି । ତାକୁ ସେମାନେ ଦୂତୀବାହନଙ୍କୁ ନୈବେଦ୍ୟ ଦିଅନ୍ତି । ସେହି ସାମଗ୍ରୀକୁ ପୁଅମାନଙ୍କ ଆପାଦମସ୍ତକ ଛୁଆଁଇ ବ୍ରତ ବା “ଜିଉଁତିଆ”କୁ ସେମାନଙ୍କ ହାତରେ କବଚ ଭଳି ବାନ୍ଧି ଦେଇଥାନ୍ତି ।

Leave A Reply

Your email address will not be published.

10 − 8 =