jayashree

କଣ୍ଟାବାଞ୍ଜି ଗୁରୁଦ୍ୱାରାରେ ଗୁରୁ ନାନକ ଦେବଜୀଙ୍କ ପ୍ରକାଶ ପର୍ବ ପାଳିତ

  • ନଗର କୀର୍ତ୍ତନରେ ଗୁରୁମୟ ପରିବେଶ, ଶିଶୁ ଓ ମହିଳାଙ୍କ ଶବଦ କୀର୍ତ୍ତନରେ ଭାବବିହ୍ୱଳ ସଙ୍ଗତ

କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଉତ୍ସାହର ସହ କଣ୍ଟାବାଞ୍ଜିସ୍ଥିତ ଗୁରୁଦ୍ୱାରା ଗୁରୁ ସିଂହ ସଭାରେ ପାଳିତ ହୋଇଛି ଶିଖ ଧର୍ମର ପ୍ରଥମ ଗୁରୁ ଶ୍ରୀ ଗୁରୁ ନାନକ ଦେବଜୀଙ୍କ ପ୍ରକାଶ ପର୍ବ। ଏହି ପବିତ୍ର ଅବସରରେ ଗୁରୁଦ୍ୱାରା ସାହିବରେ ବିଭିନ୍ନ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଗୁରୁ ନାନକ ଦେବଜୀଙ୍କ ମାନବତା, ସମାନତା, ପ୍ରେମ ଓ ଭାଇଚାରାର ମହାନ ବାର୍ତ୍ତାକୁ ସ୍ମରଣ କରି ଏହି ପର୍ବ ପାଳନ କରାଯାଇଥିଲା। ପ୍ରକାଶ ପର୍ବ ଅବସରରେ ଗୁରୁଦ୍ୱାରାରୁ ଏକ ଭବ୍ୟ ନଗର କୀର୍ତ୍ତନ ଓ ଶୋଭାଯାତ୍ରା ବାହାରିଥିଲା। ଶିଖ ସମାଜର ପୁରୁଷ, ମହିଳା, ଯୁବକ ଓ ଶିଶୁମାନେ ଏଥିରେ ଉତ୍ସାହର ସହ ସାମିଲ ହୋଇଥିଲେ। ଗୁରୁବାଣୀ ଓ କୀର୍ତ୍ତନରେ ସମଗ୍ର ଅଞ୍ଚଳ ଭକ୍ତିମୟ ହୋଇଉଠିଥିଲା। ଏହି ଆୟୋଜନର ଅନ୍ୟତମ ଆକର୍ଷଣ ଥିଲା ଶିଶୁ ଓ ମହିଳାମାନଙ୍କ ଦ୍ୱାରା ପରିବେଷିତ ଶବଦ କୀର୍ତ୍ତନ। ମଧୁର କଣ୍ଠରେ ଗୁରୁବାଣୀ ପରିବେଷଣ କରି ସେମାନେ ଉପସ୍ଥିତ ସଙ୍ଗତଙ୍କୁ ଭାବବିହ୍ୱଳ କରିଥିଲେ। ଶବଦ କୀର୍ତ୍ତନରେ ଅଂଶଗ୍ରହଣ କରିଥିବା ଶିଶୁ ଓ ମହିଳାମାନଙ୍କୁ ଗୁରୁଦ୍ୱାରା କମିଟି ପକ୍ଷରୁ ସମ୍ମାନିତ କରାଯିବା ସହ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଫଳ କରିବାରେ ଗୁରୁଦ୍ୱାରା ସାହିବର ଗ୍ରନ୍ଥୀଜୀଙ୍କ ଅବଦାନ ଉଲ୍ଲେଖନୀୟ ରହିଥିଲା। ଶିଶୁ ଓ ମହିଳାମାନଙ୍କୁ ନିୟମିତ ଶବଦ କୀର୍ତ୍ତନ ଅଭ୍ୟାସ କରାଇବା ସହ ଗୁରୁବାଣୀ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ସେ ନିଷ୍ଠାର ସହ କାର୍ଯ୍ୟ କରିଥିଲେ। ତାଙ୍କର ଏହି ସେବା ଓ ସମର୍ପଣ ପାଇଁ ମହିଳାମାନଙ୍କ ପକ୍ଷରୁ ତାଙ୍କୁ ବିଶେଷ ସମ୍ମାନ ପ୍ରଦାନ କରାଯାଇଥିଲା। ଗୁରୁ ନାନକ ଦେବଜୀଙ୍କ ଆଦର୍ଶ ଓ ଶିଖ ଧର୍ମର ମହାନ ପରମ୍ପରାକୁ ନୂତନ ପିଢ଼ି ମଧ୍ୟରେ ପ୍ରସାର କରିବାର ଏକ ସୁନ୍ଦର ପ୍ରୟାସ ଥିଲା ଏହି ପ୍ରକାଶ ପର୍ବ। ସେବା, ସମର୍ପଣ, ସାମାଜିକ ସଦ୍‌ଭାବ ଓ ଏକତାର ବାର୍ତ୍ତା ଦେଇ ଏହି ଧାର୍ମିକ ଆୟୋଜନ ଶ୍ରଦ୍ଧାଳୁଙ୍କ ମନରେ ଅମିଟ ଛାପ ଛାଡ଼ିଥିଲା।

Leave A Reply

Your email address will not be published.