pakka

ରାଜବୈଦ୍ୟ ସ୍ୱର୍ଗତ ଚିନ୍ତାମଣି ବେହେରା ସ୍ମୃତି ପରିଷଦ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଉଦୀୟମାନ ଅନୁଷ୍ଠାନ ରାଜବୈଦ୍ୟ ସ୍ୱର୍ଗତ ଚିନ୍ତାମଣି ବେହେରା ସ୍ମୃତି ପରିଷଦ ତରଫରୁ ସ୍ଥାନୀୟ ଯାଦବ ଭବନ ସଭା ଗୃହରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରିଷଦର ସଭାପତି ଡା. ଚିତ୍ତରଂଜନ ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଶିକ୍ଷାବିତ୍ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ । ପରିଷଦର ପ୍ରତିଷ୍ଠାତା କବିଶ୍ରୀ ନବକିଶୋର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ବୌଦ୍ଧିକ ପ୍ରମୁଖ ଅଧ୍ୟାପକ ସଂଦୀପ କୁମାର କୁଅଁର ମଞ୍ଚ ପରିଚାଳନା କରିଥିଲେ । ସଂପାଦକ ଅଧ୍ୟାପକ ଦୁର୍ବାଦଳ ଘିବେଲା ଏବଂ ସଭାପତି ଡା. ମିଶ୍ର ନୂଆଁଖାଇର ବାର୍ତ୍ତା ସହ ଆମ ସାହିତ୍ୟ ସଂସ୍କୃତି ସହିତ ରହିଥିବା ସଂପର୍କ ଉପରେ ଭାବ ବିନିମୟ କରିଥିଲେ । ଜିଲ୍ଲା ଆବାହକ ‘କୋଶଳ ପ୍ରବାହ’ର ସମ୍ପାଦକ ତଥା କବି ଆନନ୍ଦ ଚନ୍ଦ୍ର ସାହୁ ପ୍ରକୃତି ସହିତ ନୂଆଖାଇଁ ଓ ଆମ ବୃକ୍ଷଲତାର ନିବିଡ ସଂପର୍କ ତଥା ଔଷଧୀୟ ଗୁଣ ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ସ୍ୱକୀୟ ଅଭିଭାଷଣରେ ରାଜ ପରିବାର ସହିତ ବୈଦ୍ୟଙ୍କ ଅନ୍ତରଙ୍ଗ ସଂପର୍କ ଓ ଆଜିର ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ବୈଦ୍ୟ ଭକ୍ତବନ୍ଧୁ ବିଶ୍ୱାଳ ଓ ଦେବ ପଧାନଙ୍କୁ ଉତ୍ତରୀୟ, ମାନପତ୍ର ଓ ଫୁଲମାଳ ଦେଇ ସମ୍ମାନୀତ କରାଯାଇଥିଲା । ପରିଶେଷରେ ବୈଦ୍ୟ ଶିରୋମଣି ଝସକେତନ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ । ସହରର ବହୁ ବିଶିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.

4 × two =