ଲୋକଖେଳ, ଗୀତ, ନାଚକୁ ନେଇ ନୁଆଁଖାଇ ଭେଟ୍‌ଘାଟ୍‌

ଆଗଲପୁର, (ସୁଶୀଲ ମିଶ୍ର) : ଦିନଥିଲା ଗାଁ ମାନଙ୍କରେ ଦେଖିବାକୁ ମିଳୁଥିଲା ବିଭିନ୍ନ ପ୍ରକାରର ଲୋକଖେଳ ଲୋକଗୀତ ଲୋକନାଚ ହେଲେ ସେ ସବୁ ଆଜିକାଲି ଆଉ ଦେଖିବାକୁ ମିଳୁନାହିଁ । ହେଲେ ଆଗଲପୁର ବ୍ଲକର ଭାଲୁପାଲି ଗାଁରେ ଏଭଳି ଏକ ନିଆରା ପାରମ୍ପରିକ ଖେଳ ଏବଂ ନାଚଗୀତ ତିନି ବର୍ଷ ହେଲା ହୋଇଆସୁଛି । ଏହି ନୂଆଁଖାଇ ଭେଟ୍‌ଘାଟ୍ କାର୍ଯ୍ୟକ୍ରମ ଏ ବର୍ଷ ମଧ୍ୟ ନୂଆଁଖାଇ ଦିନ ଆୟୋଜିତ କରାଯାଇଥିଲା । କୋଭିଡ ଗାଇଡ୍‌ଲାଇନ୍‌ ଭିତରେ ରହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ସମସ୍ତେ ମାକ୍ସ ଏବଂ ସାମାଜିକ ଦୂରତ୍ୱକୁ ଧ୍ୟାନ ଦେଇଥିଲେ । ମୁଖ୍ୟ ଅତିଥି ଉପରବାହାଲ ପଞ୍ଚାୟତର ସରପଞ୍ଚ କବି ହରିପାଲ ପଶ୍ଚିମ ଓଡିଶାର ମୁଖ୍ୟ ପର୍ବ ନୂଆଁଖାଇ ବିଷୟରେ ସାମ୍ୟକ୍ କହିଥିବା ବେଳେ ନୂଆଁଖାଇ ଭେଟ୍‌ଘାଟ୍ କମିଟିର ସଭାପତି ସୂର୍ଯ୍ୟଭାନୁ ଭୋଇ ଭେଟ୍‌ଘାଟ୍ ବିଷୟରେ ସ୍ୱଳ୍ପ ଆଲୋଚନା କରିଥିଲେ ଏବଂ ରୁକ୍ମଣ ବିଶ୍ବାଲ ମଞ୍ଚ ସଞ୍ଚାଳନ କରିଥିଲେ । ଏହି ଉତ୍ସବରେ କଳା ସଂସ୍କୃତି ପରମ୍ପରାକୁ ଆଖି ଆଗରେ ରଖି ଗ୍ରାମର ବୟୋଜୈଷ୍ଠ ବୃଦ୍ଧ ବୃଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ଗୀତ, ନାଚ, କବିତା, କମେଡି, ହଲିଆଗୀତ, ହୁଲାହୁଲି, ସିଲୋଲାଇ, ମ୍ୟୁଜିକ ଚେୟାର୍, ମାଠିଆଫଟା, ବସ୍ତା ଦୌଡ, ବାଡି ଘିଚା, ସିଲୋଲାଇ, ଭାଷଣ, ବୁହାସେନ୍ କାନ୍ଦି, ଛୁଆଭୁର୍ତା ଗୀତ୍, ଦୁଆରି ଗୀତ୍, ଜଣା ଅଜଣା ଭଳି ଷୋହଲ ପ୍ରକାର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ସମସ୍ତ ବିଜେତାଙ୍କୁ କମିଟୀ ତରଫରୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ କମିଟିର ସମ୍ପାଦକ ସତ୍ୟ ପଟେଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

5 × four =