ପରୀକ୍ଷା ଫଳ ରାଜ୍ୟର ପ୍ରକୃତ ଶିକ୍ଷାବସ୍ଥା ଠାରୁ କାହିଁ କେତେ ଦୂରରେ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦଶମ ବୋର୍ଡ ପରୀକ୍ଷା ଫଳ ଉପରେ ଆଜି ନରସିଂହ ମିଶ୍ର ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏହାକୁ ପରୀକ୍ଷା ଫଳ କହିବା ଅପେକ୍ଷା ମୂଲ୍ୟ ନିର୍ଦ୍ଧାରଣ ଫଳ କହିବା ଠିକ ହେବ । କୋଭିଡ ମହାମାରୀ ସମୟରେ ସରକାର ଏଭଳି ନଷ୍ପତ୍ତି ନେବା ସ୍ୱାଭାବିକ । ପରୀକ୍ଷା ଫଳ ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ ପରିକା ହୋଇଛି । ପରୀକ୍ଷା ଫଳରେ ଉତ୍ସାହିତ ହେବା ଭଳିଆ କିଛି ନାହିଁ । ରାଜ୍ୟରେ ଶିକ୍ଷାବସ୍ଥା ସଂପୁର୍ଣ୍ଣ ଭୁଷୁଡି ପଡିଛି । ଏହି ଫଳାଫଳ ରାଜ୍ୟରେ ପ୍ରକୃତ ଶିକ୍ଷାବସ୍ଥାରୁ କାହିଁ କେତେ ଦୁରରେ । ବିଶେଷ କରି ସରକାରୀ ସ୍କୁଲମାନଙ୍କ ଅବସ୍ଥା ଅତି ଦୟନୀୟ, ଯାହା ଏହି ଫଳାଫଳରେ ମଧ୍ୟ ପରିଲକ୍ଷିତ ହେଉଛି ବୋଲି ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । କୋଭିଡ ଦ୍ୱାରା ବାଧାପ୍ରାପ୍ତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି । ପ୍ରଥମେ ଏହି ପରୀକ୍ଷା ମଇ ୩ ରୁ ୧୫ ମଧ୍ୟରେ ହେବାର ଥିଲା । କିନ୍ତୁ କରୋନା ଯୋଗୁିଁ ସରକାର ପରୀକ୍ଷା ବନ୍ଦ କରିବା ସହ ନବମ ଶ୍ରେଣୀ ଓ ଦଶମ ଶ୍ରେଣୀ ପ୍ରିବୋର୍ଡ ମାର୍କକୁ ନେଇ ପରୀକ୍ଷା ଫଳ ନିର୍ଧାରଣ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରିଥିଲେ । ଫଳରେ ରାଜ୍ୟରେ ସର୍ବକାଳୀନ ରେକର୍ଡ ସଂଖ୍ୟକ ୯୭.୯୮ ପ୍ରତିଶତ ପିଲା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ରାଜ୍ୟରେ ଗତ ପାଞ୍ଚ ବର୍ଷରେ ଦଶମ ବୋର୍ଡ ପରୀକ୍ଷା ଫଳକୁ ଦେଖିଲେ, ଏହା ୨୦୧୬ ରେ ୮୩%, ୨୦୧୭ରେ ୮୫.୨୮%, ୨୦୧୮ରେ ୭୬.୨୩%, ୨୦୧୯ରେ ୭୦.୭୮%, ୨୦୨୦ରେ ୭୮.୭୬% ରହିଥିଲା । ଏବର୍ଷ ୨୦୨୧ରେ ୯୭.୮୯%କୁ ପହଞ୍ଚିଛି, ଯାହା ପୂର୍ବ ବର୍ଷମାନଙ୍କ ପରୀକ୍ଷା ଫଳରୁ ପ୍ରାୟ ୨୦ ପ୍ରତିଶତ ଅଧିକ । ସେହିପରି ରାଜ୍ୟରେ ସମୁଦାୟ ୬ ଲକ୍ଷ ୧୭ ହଜାର ପରୀକ୍ଷାର୍ଥୀ ପାସ କରିଥିବା ବେଳେ +୨ ପାଇଁ ରାଜ୍ୟରେ କେବଳ ୬ ଲକ୍ଷ ୩ ହଜାର ସିଟ୍ ରହିଛି । ଏଭଳି ସ୍ଥିତିରେ ବାକି ପିଲାଙ୍କ ପାଇଁ କଣ ବ୍ୟବସ୍ଥା ରହିବା ତାହା ସରକାର ପାଇଁ ବଡ ଚ୍ୟାଲେଞ୍ଜ ହେବ । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଅବସ୍ଥା ଚିନ୍ତା କଲେ ବଲାଙ୍ଗିରର ପରୀକ୍ଷା ଫଳ ରାଜ୍ୟରେ ସବୁଠୁ କମ ୯୪.୮୭% ରହିଛି, ଯାହା ଜିଲ୍ଲାର ସରକାରୀ ଶିକ୍ଷା ଅବସ୍ଥା ସଂପୁର୍ଣ୍ଣ ଭୁଷୁଡି ପଡିଥିବା ପୁଣି ସ୍ପଷ୍ଟ କରୁଛି । ଜିଲ୍ଲାରେ ଏ୧ ଶ୍ରେଣୀରେ ୪୫ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ମାତ୍ର ସରକାରୀ ସ୍କୁଲ ଛାତ୍ର ରହିଥିବା ଜଣାପଡ଼ିଛି । ଅନ୍ୟ ପଟେ କିଛି ବେସରକାରୀ ସ୍କୁଲ ତାଙ୍କ ଛାତ୍ରମାନଙ୍କର ନବମ ଶ୍ରେଣୀ ମାର୍କରେ ଜାଲିଆତି କରି ଦଶମ ବୋର୍ଡ ଫଳାଫଳକୁ ପ୍ରଭାବିତ କରିବା ଭଳି ଗୁରୁତର ଅଭିଯୋଗ ଆସୁଛି, ଯାହା ନିଶ୍ଚିତ ଭାବେ ତଦନ୍ତ ସାପେକ୍ଷ ବୋଲି ଶ୍ରୀ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Leave A Reply

Your email address will not be published.

1 × four =