
ଗଞ୍ଜାମ : ଗଞ୍ଜାମ ସହରରେ ଏବେ ଚୋର ଓ ଲୁଟେରାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି । ଯାହା ସ୍ଥାନୀୟ ବାସିନ୍ଦାଙ୍କ ନିଦ ହଜାଇ ଦେଇଛି । ସହରର କୈବର୍ତ୍ତ ସାହି ସ୍ଥିତ ସାତଭଉଣୀ ମନ୍ଦିର ନିକଟ ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱରେ କିଛି ଦୂରରେ ଥିବା ଘର ଆଗରୁ ଗତକାଲି ବିଳମ୍ବିତ ରାତିରେ ଏକ ବାଇକ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ବ୍ୟକ୍ତି ଜଣଙ୍କ ନିଜର ‘ହୋଣ୍ଡା ହର୍ନେଟ’ (ନଂ. ଓଡ଼ି୦୭ ଏଟି ୭୮୭୨) ବାଇକକୁ ମନ୍ଦିର ନିକଟ ଘର ଆଗରେ ରଖିଥିଲେ । ମାତ୍ର ଆଜି ସକାଳୁ ଦେଖିଲା ବେଳକୁ ଗାଡ଼ିଟି ସେଠାରେ ନଥିଲା । ଏନେଇ ସମ୍ପୃକ୍ତ ବ୍ୟକ୍ତି ଗଞ୍ଜାମ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି । ବାରମ୍ବାର ଚୋରି ଓ ଲୁଟ ଯୋଗୁ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଭୟର ବାତାବରଣ ଖେଳିଯାଇଛି ।