pakka

ଜଣେ ଶିକାରୀର ବନ୍ଧୁକ ଗୁଳିରେ ଅନ୍ୟ ଜଣେ ଶିକାରୀ ମୃତ

bbehera

ବୌଦ୍ଧ, (ବଂଶୀଧର ମାଝୀ) : ଶିକାର କରିବାକୁ ଜଙ୍ଗଲକୁ ଯାଇଥିଲେ ୨ ଶିକାରୀ । କିନ୍ତୁ ଜଣେ ଶିକାରୀ ଅନ୍ୟ ଜଣେ ଶିକାରୀର ଶିକାର ହୋଇଗଲେ । ଅସାବଧାନତା ଯୋଗୁ ଜଣେ ଶିକାରୀର ବନ୍ଧୁକ ଗୁଳିରେ ଅନ୍ୟ ଜଣେ ଶିକାରୀର ମୃତ୍ୟୁ ଘଟିଛି । ମୃତ ଶିକାରୀ ଜଣକ ହେଲେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା କାନପୁର ଗ୍ରାମର ସଞ୍ଜିତ ଭୋଇ । ସୂଚନାନୁସାରେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା କାନପୁର ଗ୍ରାମର ସଞ୍ଜିତ ଭୋଇ ଓ ଶମ୍ଭୁନାଥ ଭୋଇ ଗତ ସୋମବାର ଅପରାହ୍ନରେ ପାଖ ଜଙ୍ଗଲକୁ ଜନ୍ତୁ ଶିକାର କରିବାକୁ ଏକ ବନ୍ଧୁକ ନେଇ ଯାଇଥିଲେ । ତେବେ ଉଭୟ ଏକ ଜଙ୍ଗଲୀ ଜନ୍ତୁକୁ ଦେଖି କାବୁ କରିବା ପାଇ ପ୍ରୟାସ କରିଥିଲେ । ଏହି ସମୟରେ ଜନ୍ତୁ ଉପରକୁ ଶମ୍ଭୁନାଥ ଗୁଳି ଚଳାଇଥିଲେ । ତେବେ ଗୁଳିଟି ଜନ୍ତୁ ଦେହରେ ନବାଜି ଅସାବଧାନତା ବଶତଃ ସଞ୍ଜିତ ଭୋଇଙ୍କ ପେଟରେ ଗୁଳି ବାଜିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ସଞ୍ଜିତଙ୍କର ମୃତ୍ୟୁ ହୋଇଯାଇଥିଲା । ଏଥିରେ ଭୟଭୀତ ହୋଇ ଶମ୍ଭୁନାଥ ତାଙ୍କ ମୃତ ଦେହକୁ କିଛି ଦୂରରେ ଫିଙ୍ଗି ଦେଇ ଘଟଣା ସ୍ଥଳରୁ ଘରକୁ ଚାଲି ଆସିଥିଲେ । ତେବେ ସଞ୍ଜିତ ଘରକୁ ନ ଫେରିବାରୁ ତାଙ୍କ ପରିବାର ଲୋକେ ଖୋଜାଖୋଜି କରିବା ସହିତ ସଞ୍ଜିତ ନିଖୋଜ ହୋଇଥିବା ନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ତଦନ୍ତ କରିବା ସମୟରେ ଶମ୍ଭୁନାଥଙ୍କୁ ପଚରା ଉଚାର କରିଥିଲେ । ଶମ୍ଭୁନାଥ ଘଟଣା ସମ୍ପର୍କରେ ସ୍ୱୀକାର କରିବା ସହ ମୃତଦେହ ପଡିଥିବା ସ୍ଥାନ ଦେଖାଇ ଥିଲା । ପୋଲିସ ମୃତଦେହକୁ ଜଙ୍ଗଲ ମଧ୍ୟରୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଅନ୍ୟପଟେ ଅଭିଯୁକ୍ତ ନିକଟରୁ ଏକ ବନ୍ଧୁକ ଜବତ କରି ତାକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ପୁରୁଣା କଟକ ପୋଲିସ ।

Leave A Reply

Your email address will not be published.

1 × 5 =