pakka

ଦିନେ ଥିଲେ ଦୁର୍ଦ୍ଦାନ୍ତ ମାଓବାଦୀ, ଆଜି ହେଲେ ସାତ ଜନ୍ମର ସାଥୀ

bbehera

ନୂଆପଡା, (ନିରାକାର ମେହେର) : ବାଜା ବଜେଇ ନାଚ ଗୀତରେ ମସଗୁଲ ହୋଇ ଆସୁଛନ୍ତି ବରଯାତ୍ରୀ । ପଛରେ ପଛରେ କାରରେ ବସି ଆସୁଛି ବର । ସେପଟେ ଆଖିରେ ଆଖିଏ ସ୍ୱପ୍ନ ନେଇ ବୋହୂ ବେଶରେ ସଜେଇ ହୋଇ ଅପେକ୍ଷା କରିଛି କନିଆ । ଏହା କୌଣସି ସାଧାରଣ ବାହାଘର ନୁହେଁ । ଦୁର୍ଦ୍ଦାନ୍ତ ମାଓ ସଂଗଠନର ପ୍ରେମୀ ଯୁଗଳଙ୍କ ବିବାହ ଉତ୍ସବ । ଦିନେ ଥିଲେ ଦୁର୍ଦ୍ଦାନ୍ତ ମାଓବାଦୀ, ସମୟ ବଦଳିବା ସହ ବଦଳିଛି ମାଓ ପ୍ରବଣ ଜିଲ୍ଲାର ଚିତ୍ର । ଯେଉଁ ଯୁବକ ଯୁବତୀ ଦିନେ ନିଜ ଜୀବନକୁ ବାଜି ଲଗାଇବା ସହ ଅନ୍ୟର ଜୀବନ ନେବାକୁ ପଛାଉ ନଥିଲେ, ସେମାନେ ଆଜି ଏକ ନୂଆ ଜୀବନ ଆରମ୍ଭ କରିଛନ୍ତି । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ବିବାହ ବନ୍ଧନରେ ବାନ୍ଧି ହେଲେ ମାଓ ସଙ୍ଗଠନର ପ୍ରେମୀ ଯୁଗଳ । ଯେଉଁ ହାତରେ ଦିନେ ବନ୍ଧୁକ ବାରୁଦ ସହ କାମ କରୁଥିଲେ ସେ ହାତରେ ଆଜି ବରଣମାଳ ଧରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ନୂଆପଡାର ମାଓ ଦମ୍ପତି । ଦିନେ ଥିଲେ ଦୁର୍ଦ୍ଦାନ୍ତ ମାଓବାଦୀ, ଆଜି ହେଲେ ସାତ ଜନ୍ମର ସାଥୀ । ମାଓବାଦୀଙ୍କୁ ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ଯୋଜନା । ଏହି ଯୋଜନାରେ ନୂଆପଡା ପୋଲିସ ପକ୍ଷରୁ ଆୟୋଜନ କରାଯାଇଛି ଏହି ବିବାହ ଉତ୍ସବ (Police Arrange Marriage of Surrender Maoist) । ମାଓନୀତି ଓ ଅସ୍ତ୍ରଶସ୍ତ୍ରକୁ ପରିତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ବୋଡେନ ବ୍ଲକ କନ୍ଦିଆନ ଝରଣ ଗାଁର ମାଧୁରି ଏବଂ ଛତିଶଗଡ଼ ରାଜ୍ୟର ପିଣ୍ଟୁ । ମାଓ ସଂଗଠନରେ କାମ କରୁଥିବା ବେଳେ ଉଭୟେ ଉଭୟଙ୍କୁ ଭଲପାଇ ବସିଥିଲେ । ସ୍ଥିର କରିଥିଲେ ହିଂସା ଛାଡ଼ି ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହେବାପାଇଁ ପ୍ରଶାସନ ନିକଟରେ ଆତ୍ମସମର୍ପଣ କରିଥିଲେ ଉଭୟେ । ନୂଆପଡ଼ା ଆରକ୍ଷୀ ଅଧିକ୍ଷକ ପ୍ରଦ୍ୟୁସ ଦିବାକରଙ୍କ ଉଦ୍ୟମରେ ଆତ୍ମସମର୍ପଣକାରୀ ମାଓବାଦୀ ପିଣ୍ଟୁ, ମାଧୁରୀର ବିବାହ ସ୍ଥାନୀୟ ପୋଲିସ ବାରାକରେ ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି । ମାଓବାଦୀ ଦମ୍ପତିଙ୍କ ଏହି ନିଆରା ବିବାହ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଦକ୍ଷିଣ ପଶ୍ଚିମାଞ୍ଚଳ DIG ରାଜେଶ ପଣ୍ଡିତ ଯୋଗଦେଇ ମାଓ ଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେଇଛନ୍ତି ।

Leave A Reply

Your email address will not be published.

nineteen + four =