ମନରେଗା ଯୋଜନାରେ ମେସିନ କରୁଛି କାମ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ୨୦ଟି ଗ୍ରାମ ପଞ୍ଚାୟତରେ ମନରେଗା ଯୋଜନାର କାମ ମେସିନରେ ଚାଲିଥିବା ସୂଚନା ମିଳିଛି । ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ, ଏହି ପ୍ରୋଜେକ୍ଟରେ ଜିଲ୍ଲା ବିଭାଗୀୟ କତ୍ତୃପକ୍ଷଙ୍କ ଟାର୍ଗେଟ ଅନୁଯାୟୀ ୫୨୨ଟି ଫାର୍ମପଣ୍ଡ ଅନୁମୋଦନ ହୋଇଥିବା ବେଳେ ୧୩୦ଟି ସଂପୂର୍ଣ୍ଣ ହୋଇ ୪୦୦ ବାକିଥିବା ବିଭାଗୀୟ ଅଧିକାରୀଙ୍କଠାରୁ ସୂଚନା ମିଳିଛି । ଏହି ଯୋଜନାଟି ଗରିବ ଲୋକଙ୍କ ପାଇଁ ହୋଇଥିବା ବେଳେ କାମ କରୁଛି ମେସିନ ଓ ମାଲେମାଲ ହେଉଛନ୍ତି ଦଲାଲ ବୋଲି ମତ ପ୍ରକାଶ ପାଉଛି । ଆହୁରି ମଧ୍ୟ ଅଭିଯୋଗ ହୋଇଛି ଯେ, ମେସିନରେ କାମ କରି ଜବକାର୍ଡ ଧାରିଙ୍କୁ ଶହେ ଦୁଇଶହରେ କିଣି ତାଙ୍କ ନାରେ ଟଙ୍କା ଉଠାଉଛନ୍ତି ଦଲାଲ । ଆଗଲପୁର ବ୍ଲକରେ ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନାରେ ଦୁର୍ନିତୀ ହୋଇଥିବା ଅଭିଯୋଗ ହେଉଛି । ବ୍ଲକର ଲୁହୁରାମୁଣ୍ଡା, ଭରସୁଜା, ଉପରବାହାଲ, ବଡଟିକା ଆଦି ଗ୍ରାମ ପଞ୍ଚାୟତ ତଥା ଅନ୍ୟାନ୍ୟ ଗ୍ରାମ ପଞ୍ଚାୟତ ମାନଙ୍କରେ ମଧ୍ୟ ପ୍ରଥମେ ଚାଷୀମାନଙ୍କୁ ନେଇ ଫାର୍ମପଣ୍ଡରେ ଆବେଦନ କରାଇ ତା’ପରେ ବିନା ସୂଚନା ଫଳକ ଲଗାଇ ବିଲ କରୁଛନ୍ତି ଦଲାଲ । ଯାହାଫଳରେ ଲୋକେ କାମ ନ ପାଇ ବାହାର ରାଜ୍ୟକୁ ଦାଦନ ଖଟି ଯାଉଛନ୍ତି ବୋଲି ମତ ପ୍ରକାଶ ପାଉଛି । ଜିଲ୍ଲା ବିଭାଗୀୟ ଅଧିକାରୀ, ବ୍ଲକ କର୍ମଚାରୀ, ଦଲାଲଙ୍କ ସଲାସୁତୁରା ମଧୁଚନ୍ଦ୍ରିକା ଯୋଗୁଁ ମାଲେମାଲ ହେଉଛନ୍ତି ବୋଲି ଅଭିଯୋଗ ହେୁଛି । ବଡଟିକା ଗ୍ରାମର ହିମାଳୟ ଦଳପତି, ଗଣ୍ଡପାଲିର ମହେନ୍ଦ୍ର ସାହୁ, ମହାଦେବ ସାହୁ, ରଚନା ସାହୁ, ସରଧାପାଲିର ପାର୍ବତୀ ସାହୁ, ଭକ୍ତ ରାମ ସାହୁ, ସାହାଜଛପର ଗ୍ରାମର ବିରଞ୍ଚି ଧରୁଆ ପ୍ରମୁଖଙ୍କ ଫାର୍ମପଣ୍ଡ ପାଇଁ କାମ ଶେଷ କରଥିବା ଏହି ଚାଷୀଙ୍କଠାରୁ ପ୍ରକାଶ । ଏହି ଫାର୍ମପଣ୍ଡ ଗୁଡିକ ୧,୨୦,୦୦୦ ଓ ୧,୭୦,୦୦୦ ଟଙ୍କା ହୋଇଥାଏ ବୋଲି ଚାଷୀଙ୍କଠାରୁ ପ୍ରକାଶ ।

Leave A Reply

Your email address will not be published.