ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ସର୍ବଭାରତୀୟ ମେଡ଼ିକାଲ (ନିଟ) ପରୀକ୍ଷାରେ ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଡୁଆଝର ଗ୍ରାମର ଭବେଶ କୁମାର ମେହେର ନିଜର କଠିନ ପରିଶ୍ରମ ଓ ଅଧ୍ୟବସାୟ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳକୁ ଗୌରାବାନ୍ନିତ କରିଛନ୍ତି । ସେ ବାଲ୍ୟାବସ୍ଥା ସମୟରୁ ନିଜର ଦକ୍ଷତା ପ୍ରତିପାଦନ କରିପାରିଛନ୍ତି । ସରସ୍ୱତୀ ଶିଶୁ ମନ୍ଦିର ଡୁଆଝରରେ ତୃତୀୟ ଓ ପଞ୍ଚମ ଶ୍ରେଣୀ ଅଧ୍ୟୟନ କରୁଥିବା ସମୟରେ ମେଧାବୃତ୍ତି ପାଇ ନିଜ ପ୍ରତିଭାର ପରିଚୟ ପ୍ରଦାନ କରିଛନ୍ତି । ଆଦର୍ଶ ବିଦ୍ୟାଳୟ (ବାଦୀ) ପ୍ରବେଶିକା ପରୀକ୍ଷାରେ ଖରିଆର ବ୍ଲକରେ ସର୍ବୋଚ୍ଚନମ୍ବର ରଖି ଜଣେ ମେଧାବୀ ଛାତ୍ରର ପରିଚୟ ସୃଷ୍ଟି କରିପାରିଛନ୍ତି । ନବୋଦୟ ବିଦ୍ୟାଳୟ, ତରବୋଡ଼ରେ ଦଶମ ଶ୍ରେଣୀ ପରୀକ୍ଷାରେ ୯୨.୨ ପ୍ରତିଶତ ମାର୍କରଖି କୃତିତ୍ୱ ହାସଲ କରିଛନ୍ତି । କ୍ରିଷ୍ଣା ବିକାଶ, ବରଗଡ଼ରେ +୨ ଅଧ୍ୟୟନ କରି ୯୦% ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ ସର୍ବଭାରତୀୟ (ନିଟ) ପ୍ରବେଶିକା ପରୀକ୍ଷାରେ ୫୬୪ ମାର୍କରଖି (ଅଲ ଇଣ୍ଡିଆ ରେଙ୍କ)(୨୭୨୨୮) ହାସଲ କରିଛନ୍ତି । ବାୟୋଲୋଜିରେ ୯୬.୧, କେମେଷ୍ଟ୍ରୀରେ ୯୬.୨୮ ଓ ଫିଜିକ୍ସରେ ୯୯.୧ ନମ୍ବର ରଖି ସାମଗ୍ରିକ ଭାବରେ ୯୮. ୬୨ ପ୍ରତିଶତ ମାର୍କ ପାଇ ସଫଳତା ପାଇଛନ୍ତି । ତାଙ୍କ ପିତା ଡକ୍ଟର ଶୋଭେନ୍ଦ୍ର କୁମାର ମେହେର ବର୍ତ୍ତମାନ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ବଙ୍ଗୋମୁଣ୍ଡା, ଜିଲ୍ଲା- ବଲାଙ୍ଗିରର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ ତଥା ଅଧ୍ୟକ୍ଷ ଭାବରେ କର୍ମମୟ ଜୀବନକୁ ଅତିବାହିତ କରୁଥିବା ବେଳେ ମା’ ତିଳୋତ୍ତମା ମେହେର ଡୁଆଝର ସ୍ଥିତ ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବରେ ନିଜ ଦାୟିତ୍ୱ ସଂପାଦନ କରୁଛନ୍ତି । କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି ବୋଲି ବାପା, ମା’ ନିଜ ବକ୍ତବ୍ୟରେ କହିଛନ୍ତି । ପୁଅର ସଫଳତାରେ ବାପା, ମା’ ତଥା ନିଜ ଗ୍ରାମ ଡୁଆଝର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ନିଶ୍ଚିତ ଭାବରେ ଏହି ସଫଳତା ନୂଆପଡ଼ା ଜିଲ୍ଲା ତଥା ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଦେଇଛି । ଏହି ସଫଳତା ପାଇଁ “ଭବେଶ” ଭଗବାନଙ୍କ ଆଶୀର୍ବାଦ, ପିତା, ମାତା, ଗୁରୁଜନ ତଥା କ୍ରିଷ୍ଣା ବିକାଶ ବିଦ୍ୟାଳୟ, ବରଗଡ଼ର ସମସ୍ତ ଶିକ୍ଷକମାନଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି । ଆଗାମୀ ଦିନରେ ଗୋଟିଏ ଦକ୍ଷ ଡାକ୍ତର ହୋଇ ସମାଜ ସେବାରେ ନିଜକୁ ସମର୍ପିତ କରିବି ବୋଲି ନିଜ ବକ୍ତବ୍ୟରେ କହିଛନ୍ତି । ଏହି କୃତିତ୍ୱ ପାଇଁ ବୁଦ୍ଧିଜୀବୀ, ଶିକ୍ଷାବିତ୍ ତଥା ଅନେକ ବ୍ୟକ୍ତି ବିଶେଷ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
Prev Post
