pakka

ଅର୍ଥ ପର୍ଯ୍ୟବେକ୍ଷକ ପ୍ରାର୍ଥୀଙ୍କ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଖର୍ଚ୍ଚ ଖାତା ଯାଞ୍ଚ କଲେ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଜିଲ୍ଲା ପରିଷଦ, ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ ଖାତାକୁ ଆଜି ଖର୍ଚ୍ଚ ପର୍ଯ୍ୟବେକ୍ଷକ ତଦାରଖ କରିଛନ୍ତି । ଡେଲାଙ୍ଗ ବ୍ଲକ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଦ୍ଵିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ଖର୍ଚ୍ଚ ହିସାବ ଖାତା ଯାଞ୍ଚ କାର୍ଯ୍ୟାକ୍ରମରେ ନିର୍ବାଚନ ଖର୍ଚ୍ଚ ପର୍ୟ୍ୟବେକ୍ଷକ ରୁଦ୍ରନାରାୟଣ ଆଚାର୍ୟ୍ୟ, ପୁରୀ ଡ଼ିଆରଡ଼ିଏ ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ତଥା ନିର୍ବାଚନ ସଂଯୋଜକ ନୀଶିଥ କୁମାର ଦାଶ, ସହକାରୀ ନିର୍ବାହୀ ଯନ୍ତ୍ରୀ ତଥା ବ୍ଲକସ୍ତରୀୟ ନୋଡାଲ ଅଧିକାରୀ ରାଜେଶ୍ୱର ମହାରଣା, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରତିକାନ୍ତ ସାହୁ ପ୍ରମୁଖ ଯୋଗଦେଇ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀମାନଙ୍କ ଖର୍ଚ୍ଚ ବିବରଣୀ ଖାତା ଯାଞ୍ଚ କରିଥିଲେ । ତେବେ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସମ୍ବନ୍ଧୀୟ ହିସାବ ଖାତା ନିୟମାନୁଯାୟୀ ସଠିକ ଢଙ୍ଗରେ ଲେଖାଯାଇ ନ ଥିବା ନେଇ ନିର୍ବାଚନ ଅଧିକାରୀ ପ୍ରାର୍ଥୀମାନଙ୍କୁ ଅବଗତ କରିଥିଲେ ।ନିର୍ବାଚନ ଆୟୋଗଙ୍କ ଦ୍ୱାରା ଉଦ୍ଦିଷ୍ଟ ଫର୍ମରେ ଲିପିବଦ୍ଧ ହୋଇଥିବା ପଦ୍ଧତି ଅନୁଯାୟୀ ପ୍ରାର୍ଥୀମାନେ ସେମାନଙ୍କ ଦୈନନ୍ଦିନ ନିର୍ବାଚନ ସମ୍ପର୍କିତ ଖର୍ଚ୍ଚ ବିବରଣୀ ଉଲ୍ଲେଖ କରି ଆଗାମୀ ୧୪ ତାରିଖ ପୂର୍ବାହ୍ନ ୧୧ ଟାରେ ନିର୍ବାଚନ ନୋଡାଲ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ଖର୍ଚ୍ଚ ପର୍ୟ୍ୟବେକ୍ଷକ ଶ୍ରୀ ଆଚାର୍ୟ୍ୟ ପରାମର୍ଶ ଦେଇଥିଲେ ।ସେହିପରି ଫେବ୍ରୁଆରୀ ୨୦ ତାରିଖ ପର୍ୟ୍ୟନ୍ତ ହୋଇଥିବା ସମସ୍ତ ନିର୍ବାଚନୀ ଖର୍ଚ୍ଚ ହିସାବ ଖାତାରେ ଲିପିବଦ୍ଧ କରି ଫେବୃଆରୀ ୨୩ ତାରିଖ ସୁଦ୍ଧା ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହାକୁ ଦାଖଲ କରିବାକୁ ସଂଯୋଜକ ଶ୍ରୀ ଦାଶ ସୂଚନା ଦେଇଥିଲେ । ତେବେ ଖର୍ଚ୍ଚ କରୁଥିବା ଦ୍ରବ୍ୟ ଓ ପଦ୍ଧତିର ବିଲ ଯେଉଁଠାରେ ଉପଲବ୍ଧ ହେଉନାହିଁ ସେ କ୍ଷେତ୍ରରେ ପ୍ରାର୍ଥୀମାନେ ଦୈନନ୍ଦିନ ଖର୍ଚ୍ଚର ବିବରଣୀ ଲେଖାଥିବା ସ୍ୱହସ୍ତଲିଖିତ ରସିଦ ପୈଠ କରିବାକୁ ନିର୍ବାଚନ ଅଧିକାରୀ କହିଥିଲେ ।ଭୋଟର ତାଲିକାରେ ଅନେକ ମତଦାତାଙ୍କ ନାମ ଅନ୍ତର୍ଭୁକ୍ତ ହୋଇ ନ ଥିବାରୁ ସେମାନେ ମତଦାନରୁ ବଞ୍ଚିତ ହେବାର ସମ୍ଭାବନା ଅଛି ବୋଲି ସୁଜନପୁର ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ଅଜୟ କୁମାର ରାଉତରାୟ, ସରପଞ୍ଚ ପ୍ରାର୍ଥୀ କିଶୋର କୁମାର ଦାଶ ଓ ହରିରାଜପୁର ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀନୀ ନିରୁପମା ପାତ୍ର ପର୍ୟ୍ୟବେକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ମତଦାତାମାନେ ଏ ସମ୍ପର୍କରେ ବିଧିବଦ୍ଧ ଭାବେ ଅଭିଯୋଗ ଦାୟର କରି ନ ଥିବାରୁ ସେ କ୍ଷେତ୍ରରେ କୌଣସି ପଦକ୍ଷେପ ଆଉ ଗ୍ରହଣ କରାଯାଇ ପାରିବନାହିଁ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ସ୍ପଷ୍ଟ କରିଥିଲେ । ଏପରିକି ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ ହୋଇ ନ ଥିଲେ କୌଣସି ବ୍ୟକ୍ତି ମତଦାନ କରିପାରିବେ ନାହିଁ ବୋଲି ନିର୍ବାଚନ ଅଧିକାରୀ ରୋକଠୋକ ମନା କରିଦେଇଥିଲେ । ପ୍ରାର୍ଥୀମାନେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ଚଳିତ ନିର୍ବାଚନରେ ପ୍ରତିଦ୍ଵନ୍ଦ୍ବିତା କରିବା ସହ ଏକ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କରିବା ଦିଗରେ ସହଯୋଗ କରିବା ପାଇଁ ନିର୍ବାଚନ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ ପ୍ରାର୍ଥୀମାନଙ୍କୁ ନିବେଦନ କରିଥିଲେ ।

jay balangir
Leave A Reply

Your email address will not be published.

six + fourteen =