
- କଳସ ଯାତ୍ରାରୁ ବୈଦିକ ହୋମଯଜ୍ଞ, ଦୁଇ ଦିନ ଧରି ଆଧ୍ୟାତ୍ମିକ ଉତ୍ସବ
ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ର ଦେଓପୁର ଗ୍ରାମରେ ଦୁଇ ଦିନ ଧରି ପଞ୍ଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଆୟୋଜିତ ହୋଇଯାଇଛି । ଭକ୍ତି, ଶ୍ରଦ୍ଧା ଓ ବୈଦିକ ପରମ୍ପରାର ମହକରେ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ମହାଯଜ୍ଞର ପ୍ରଥମ ଦିନ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଗ୍ରାମର ମହିଳା ଓ ପୁରୁଷମାନେ ଏକତ୍ରିତ ହୋଇ କଳସ ଧାରଣ କରି ଖେଦାପଡ଼ାସ୍ଥିତ ନଦୀକୁ ଯାଇଥିଲେ । ସେଠାରୁ ପବିତ୍ର ଜଳ ସଂଗ୍ରହ କରି ଭଜନ, ପାରମ୍ପରିକ ରୀତିନୀତି ଓ ଭକ୍ତିମୟ ପରିବେଶ ମଧ୍ୟରେ ଯଜ୍ଞସ୍ଥଳକୁ ଫେରିଥିଲେ । କଳସ ଯାତ୍ରାରେ ଗ୍ରାମବାସୀଙ୍କ ଉତ୍ସାହ ଓ ସାମୂହିକ ଏକତା ପ୍ରତିଫଳିତ ହୋଇଥିଲା । ଦ୍ୱିତୀୟ ଦିନ ବୈଦିକ ମନ୍ତ୍ରୋଚ୍ଚାରଣ ଓ ପାରମ୍ପରିକ ପୂଜାବିଧି ଅନୁଯାୟୀ ପଞ୍ଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ସମ୍ପନ୍ନ ହୋଇଥିଲା । ହୋମଯଜ୍ଞ, ପୂଜାର୍ଚ୍ଚନା ଓ ମନ୍ତ୍ରଧ୍ୱନିରେ ଯଜ୍ଞସ୍ଥଳ ମୁଖରିତ ହୋଇଥିଲା । ଶ୍ରଦ୍ଧାଳୁମାନେ ଯଜ୍ଞରେ ଅଂଶଗ୍ରହଣ କରି ପରିବାର, ଗ୍ରାମ ଓ ସମାଜର ମଙ୍ଗଳ ସହ ଆଧ୍ୟାତ୍ମିକ ଶାନ୍ତି କାମନା କରିଥିଲେ । ଏହି ଧାର୍ମିକ ଆୟୋଜନରେ ସୁରେଶ ହିକ୍କା, ଶିବ ହିକ୍କା, ନିଳକଣ୍ଠ ମେଲେକା, ମାନସା ନିଶିକା, ଡାଳସିଂ ନିଶିକା, ସୁନ୍ଦରରାଓ କାଡ୍ରାକା, ରବିନ୍ଦ୍ର ହିକ୍କା ଓ ରାମାସିଂ ନିଶିକାଙ୍କ ସମେତ ବହୁ ଗ୍ରାମବାସୀ ଓ ଶ୍ରଦ୍ଧାଳୁ ଯୋଗଦେଇଥିଲେ । ପୂର୍ବତନ ସରପଞ୍ଚ ପାନ ହିକ୍କା, ସମାଜସେବୀ ସଙ୍ଗୀତା ହିକ୍କା, ଇଲାମା ହିକ୍କା ଓ ସେବତୀ ପୁଲାକା ମଧ୍ୟ ଉପସ୍ଥିତ ରହିଥିଲେ । ଯଜ୍ଞରେ ପୁରୋହିତ ଭାବେ ଦିନବନ୍ଧୁ ହିକ୍କା, ଆଶିଷ ସାରାକା, ମଣି କାଡ୍ରାକା ଓ ଗୋପାଳ ମାଝୀ ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଓ ଯଜ୍ଞକାର୍ଯ୍ୟ ସମ୍ପନ୍ନ କରିଥିଲେ । ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ଓ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଦୁଇ ଦିନିଆ ମହାଯଜ୍ଞ ସୁରୁଖୁରୁରେ ସମାପ୍ତ ହୋଇଥିଲା । ଏହି ଆୟୋଜନ ଗ୍ରାମରେ ଧାର୍ମିକ ଭାବନାକୁ ଉଜ୍ଜୀବିତ କରିବା ସହ ପାରମ୍ପରିକ ସଂସ୍କୃତି, ସାମାଜିକ ସଦ୍ଭାବନା ଓ ଗ୍ରାମୀଣ ଏକତାକୁ ସୁଦୃଢ଼ କରିବାର ବାର୍ତ୍ତା ଦେଇଥିଲା ।