
ନୂଆଦିଲ୍ଲୀ : ମିସ୍ ୟୁନିଭର୍ସ ୨୦୨୬ ମୁକୁଟ ହାତେଇଲେ ପୁଏର୍ଟୋ ରିକୋର ଜେନିଫର ବାରେଟୋ । ୧୧୫ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଶ୍ୱ ସୁନ୍ଦରୀ ମଞ୍ଚରେ ରଚିଲେ ଇତିହାସ । ଖାସ୍ କଥା ହେଉଛି, ଜଣେ ବିବାହିତା ମହିଳା ଭାବେ ଏହି ମୁକୁଟ ଜିତି ସେ ସୃଷ୍ଟି କରିଛନ୍ତି ନୂଆ ରେକର୍ଡ । ନଭେମ୍ବର ୨୪ ତାରିଖରେ ପୁଏର୍ଟୋ ରିକୋର ସାନ୍ ଜୁଆନ୍ରେ ଆୟୋଜିତ ହୋଇଥିଲା ୭୫ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ । ଏଥିରେ ଡୋମିନିକାନ୍ ରିପବ୍ଲିକ୍ର ମେଲିସା ନୁନେଜ୍ ପ୍ରଥମ ରନର୍ସ ଅପ୍ ଏବଂ ଭେନେଜୁଏଲାର କ୍ଲାରା ଭେଗାସ୍ ଦ୍ୱିତୀୟ ରନର୍ସ ଅପ୍ ହୋଇଛନ୍ତି । ଅନ୍ୟପଟେ ଭାରତର ପ୍ରତିନିଧି କାଜିଆ ଲିଜ୍ ମେଜୋ ଟପ୍-୩୦ରେ ସ୍ଥାନ ପାଇଛନ୍ତି । ୨୭ ବର୍ଷୀୟା ଜେନିଫରଙ୍କ ସଫଳତା ପଛରେ ରହିଛି ଏକ ଭିନ୍ନ ପରିଚୟ । ସେ ଜଣେ ବିବାହିତା ମହିଳା ହେବା ସହ ସାତ ବର୍ଷର ଝିଅର ମା’ । ଶିକ୍ଷା କ୍ଷେତ୍ରରେ ମଧ୍ୟ ସେ ବେଶ୍ ଆଗରେ । ସାଇକୋଲୋଜି ଏବଂ କ୍ଲିନିକାଲ୍ ସୋସିଆଲ୍ ୱାର୍କରେ ଦୁଇଟି ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ଏଥିସହ ଘରୋଇ ହିଂସା ବିରୋଧରେ ସଚେତନତା ସୃଷ୍ଟି ଓ ସଙ୍କଟ ପରିଚାଳନା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଜେନିଫରଙ୍କ ଏହି ବିଜୟ ସହ ପୁଏର୍ଟୋ ରିକୋ ଷଷ୍ଠ ଥର ପାଇଁ ମିସ୍ ୟୁନିଭର୍ସ ମୁକୁଟ ହାସଲ କରିଛି । ଏହା ପୂର୍ବରୁ ୧୯୭୦, ୧୯୮୫, ୧୯୯୩, ୨୦୦୧ ଏବଂ ୨୦୦୬ରେ ଏହି ଦେଶର ପ୍ରତିଯୋଗୀମାନେ ବିଶ୍ୱ ସୁନ୍ଦରୀ ମୁକୁଟ ଜିତିଥିଲେ ।