ରାମାୟଣାମ୍ମାଙ୍କ ଯାତ୍ରା କମିଟି ପକ୍ଷରୁ ମା’ ବ୍ୟାଘ୍ର ଦେବୀଙ୍କୁ ଆସିଲା ଭେଟି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ରିଜର୍ଭ ପୋଲିସ ଲାଇନ୍‌ରେ ଅନୁଷ୍ଠିତ ହେଉଥିବା ବର୍ଣ୍ଣାଢ଼୍ୟ ଉତ୍ସବ ମୁଖର ମା’କୁଲାଡ଼-ବ୍ୟାଘ୍ର ଦେବୀଙ୍କ ଯାତ୍ରା ମଙ୍ଗଳବାର ମଧ୍ୟରାତ୍ରୀରେ ଉଦଯାପିତ ହେବାକୁ ଯାଉଛି । ଗତ ୩ ତାରିଖରେ ଆରମ୍ଭ ହୋଇଥିବାବେଳେ ମା’ କୁଲାଡ଼-ବ୍ୟଘ୍ର ଦେବୀଙ୍କ ଯାତ୍ରା ମଙ୍ଗଳବାର ନବମ ସନ୍ଧ୍ୟାରେ ହେଉଛି, ଦେବୀଙ୍କ ଅନ୍ତିମ ସନ୍ଧ୍ୟା ହେତୁ ଦେବୀଙ୍କ ବିଜେସ୍ଥଳ ତଥା ଆଡ଼ପ ମନ୍ଦିରରେ ସ୍ଵତନ୍ତ୍ର ଭାବେ ପୂଜାର୍ଚ୍ଚନା ଏବଂ ଭକ୍ତଜନଙ୍କ ଶେଷ ଦର୍ଶନ କରିବା ନିମିତ୍ତ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଭକ୍ତମାନେ ଯେଝା ମାନସିକ କାର୍ଯ୍ୟ କରିବାକୁ ଆସି ଦେବୀଙ୍କ ଠାରେ ପିଠା ପଣା, ଭୋଗ ରାଗ ଆଦି ସହ ପାନିଆ, ଫରୁଆ, ନାଲି ରଙ୍ଗର ବସ୍ତ୍ର ଆଦି ମା’ଙ୍କ ଠାରେ ଲାଗି କରାଇ ନିଜ ନିଜର ମଙ୍ଗଳ କମାନା କରିଛନ୍ତି । ଠିକ୍ ସେହିପରି ଆଜି ଶେଷ ସନ୍ଧ୍ୟା ହେତୁ ମଙ୍ଗଳବାର ଅପରାହ୍ନରେ ଛତ୍ରପୁରର ଅନ୍ୟତମ ଅଧିଷ୍ଠାତ୍ରୀ ଦେବୀ ମା’ରାମାୟଣାମ୍ମାଙ୍କ ଯାତ୍ରା କମିଟି ପକ୍ଷରୁ ମ୍ୟାନେଜର୍‌ ସି. ଏଚ୍‌. ଦୟାନନ୍ଦ ରେଡ୍ଡୀ ଓ ସହକାରୀ ମ୍ୟାନେଜର୍‌ ଏମ୍. ସମରେନ୍ଦ୍ର ସେନାପତିଙ୍କ ନେତୃତ୍ତ୍ଵରେ ସ୍ଵତନ୍ତ୍ର ଭୋଗ ଲାଗି ଭାର ଭେଟି ଆସିଛି । ମା’ ବ୍ୟାଘ୍ରଦେବୀଙ୍କୁ ଆସିଥିବା ଭେଟି ମିଷ୍ଟାନ୍ନ, ଆରିସା ପିଠା, କାକରା ପିଠା, ଗଜା ମୁଆଁ, ନାଲି ରଙ୍ଗର ବସ୍ତ୍ର ମାଆଙ୍କ ଠାରେ ପୂଜାର୍ଚ୍ଚନା ଲାଗି ହୋଇଛି । ଯେହେତୁ ମା’ ରାମାୟଣାମ୍ମା ମା’ ବ୍ୟାଘ୍ରଦେବୀଙ୍କର ସାନ ଭଉଣୀ ଅଟନ୍ତି । ତେବେ ସାନ ଭଉଣୀଙ୍କ ଘରୁ ଆସିଥିବା ଭେଟି ଭାର ଅର୍ପଣ କରାଯାଇଥାଏ । ସାନ ଭଉଣୀଙ୍କ ଘରୁ ଆସିଥିବା ଅତିଥିଙ୍କୁ ଆତିଥ୍ୟ ସତ୍କାର କରାଯାଇ ତାଙ୍କ ଠାରୁ ଭୋଗ ଗ୍ରହଣୀୟ ହୋଇ ତାହା ମା’ଙ୍କ ଠାରେ ଅର୍ପଣ ଲାଗି ହୋଇ ବଡ଼ ଭଉଣୀ ମା’ ବ୍ୟାଘ୍ରଦେବୀ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିବା ପୂଜାରୀ କହିଛନ୍ତି । ଆସିଥିବା ବନ୍ଧୁ ପରିଜନଙ୍କ ସହ ଖୁସିର ମାହୋଲ୍ ହୋଇଥିବା ଦେଖିବାକୁ ମିଳିଛି । ଏହି ଲୌକିକ ପରମ୍ପରା ମତ ଏକ ଦେଖିବାକୁ ଖୁବ୍ ନିଆରା ଥିଲା । ମଙ୍ଗଳବାର ସନ୍ଧ୍ୟାରେ ମା’ ବ୍ୟାଘ୍ରଦେବୀ ଆଡ଼ପ ମନ୍ଦିରରୁ ବହାରି ରିକାପଲ୍ଲୀ ଛକ ଅଭିମୁଖେ ବାହାରି ମେଦିରି ସାହି, ନାଇଡୁ ବଙ୍ଗଳା ପର୍ଯ୍ୟନ୍ତ ଆସି ଦେବୀ ନିଜ ନିଜର ଶାଶୁ ଘର ଅର୍ଥାତ୍ ସ୍ଥାୟୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

Leave A Reply

Your email address will not be published.