
ଭୋଗରାଇ : ଶାଶୂ ପାଇଁ ବୋହୂ ହେଲା କାଳ । ପାରିବାରିକ କଳହର କରୁଣ ପରିଣତି । ଶାଶୂକୁ ପନିକିରେ ହାଣିଲା ବୋହୂ, ଶାଶୁଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଗଲା । ଅଭିଯୁକ୍ତ ବୋହୂକୁ ଭୋଗରାଇ ଥାନା ପୁଲିସ ଅଟକ ରଖି ତଦନ୍ତ କରୁଛି । ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅଧୀନ ପଥରଘଟା ଗାଁରେ । ଏହି ଗାଁର ଶଙ୍କର ବାରିକଙ୍କ ସ୍ତ୍ରୀ ଶିବାନୀ ବାରିକ କୌଣସି କାରଣକୁ ନେଇ ହଠାତ ତାଙ୍କର ୬୫ ବର୍ଷୀୟା ବୃଦ୍ଧା ଶାଶୂଙ୍କୁ ପନିକିରେ ଆକ୍ରମଣ କରିଥିଲେ । ପନିକିରେ ବାରମ୍ବାର ଆକ୍ରମଣ କରିବାରୁ ଶାଶୂ ବେହୋସ ହୋଇପଡ଼ି ଯାଇଥିଲେ । ପରେ ତାଙ୍କୁ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ବାଲେଶ୍ୱର ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଅଧିକ ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସ୍ୱାମୀଙ୍କ ଅଭିଯୋଗ ମୂଳେ ଭୋଗରାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋହୂକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ତେବେ ଗତ ଚାରିବର୍ଷ ତଳେ ଶିବାନୀର ଶଙ୍କରଙ୍କ ସହିତ ବିବାହ ହୋଇଥିବା ବେଳେ ସେମାନଙ୍କର ଏକ ପୁତ୍ର ସନ୍ତାନ ଅଛି । ବହୁ ଥର ପାରିବାରିକ ଅଶାନ୍ତିରେ ନ୍ୟାୟ ବସିଥିବା ବେଳେ ଆଜି ଏପରି ଘଟଣା ଘଟିଛି ।
