
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଦମକଳ କେନ୍ଦ୍ରରେ କାର୍ଯ୍ୟରତ ଅଗ୍ନିଶମ କର୍ମଚାରୀ ଗୋପବନ୍ଧୁ ନାଏକ (୩୬)ଙ୍କ ସଫଳତା । ଉତ୍ତରାଖଣ୍ଡ ଟୁରିଜିମ୍ ଡେଭଲେପମେଣ୍ଟ ବୋର୍ଡ ପକ୍ଷରୁ ଚାଇନା ଓ ନେପାଳ ସୀମା ଉତ୍ତରାଖଣ୍ଡର ପିଥୋରଗଡ ଜିଲ୍ଲାର ଉଚ୍ଚ ପାର୍ବତ୍ୟ ବ୍ୟାସ ଉପତ୍ୟକାରେ ଆଦି କୈଳାସ ପରିକ୍ରମା ରନ୍ ୨.୦ରେ ଶ୍ରୀ ନାଏକ ୧୦ ମ ସ୍ଥାନ ଅଧିକାର କରିଛନ୍ତି । ‘ଆଦି କୈଳାସ ପରିକ୍ରମା ସମୁଦ୍ର ପତନରୁ ୧୪ ହଜାର ୫୦୦ ଫୁଟ ଉଚ୍ଚତାରେ ପ୍ରବଳ ଥଣ୍ଡା ସ୍ଥାନରେ ଏହି ପ୍ରତିଯୋଗିତା ଆୟୋଜନ ହୋଇଥିବା ବେଳେ ଏଥିରେ ସାରା ଭାରତରୁ ୧୪୮ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଗୋପବନ୍ଧୁ ୭୦ କିଲୋମିଟର ଲମ୍ବ ବିଶିଷ୍ଟ ଏହି ମାରାଥନରେ ଭାଗ ନେଇ ୧୦ମ ସ୍ଥାନ ଅଧିକାର କରିଛନ୍ତି । ଉତ୍ତରାଖଣ୍ଡ ଆୟୋଜକଙ୍କ ପକ୍ଷରୁ ଗୋପବନ୍ଧୁଙ୍କ ସହ ଶ୍ରେଷ୍ଠ ୧୨ ଜଣଙ୍କୁ ପଦକ ଓ ପ୍ରମାଣପତ୍ର ପ୍ରଦାନ ଦେଇ ପୁରସ୍କୃତ କରାଯାଇଛି । ଗୋପବନ୍ଧୁ ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ସିକାବହେଙ୍ଗା ଗ୍ରାମର ମୂଳ ନିବାସୀ । ଗୋପବନ୍ଧୁ ସୋନପୁର ଫେରିବା ପରେ ଅଗ୍ନିଶମ କେନ୍ଦ୍ରରେ ଅଗ୍ନିଶମ ଅଧିକାରୀ ଭବେନ୍ଦ୍ରନାଥ ଦେ ତାଙ୍କୁ ସମ୍ବଦ୍ଧନା ଜ୍ଞାପନ କରିଥିବା ବେଳେ କାର୍ଯ୍ୟକ୍ରମରେ ସହକାରୀ କେନ୍ଦ୍ର ଅଧିକାରୀ ଶତୃଘ୍ନ କିଷାନ, ଶ୍ରୀକାନ୍ତ ଛନ୍ଦ, ଦିନେଶ ଦାସ, ସୁସେଣ ଭୁଏ ଓ ଅନ୍ୟ ସାଥୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।