jayashree

ରାଉରକେଲାରେ ‘ସ୍ୱର୍ଣ୍ଣ ଉଦୟ’ କର ସମ୍ମିଳନୀ-୨୦୨୬ : ଯୋଗଦେଲେ ୪୦୦ରୁ ଅଧିକ ଆଇନଜୀବୀ ଓ ଟିକସ ବିଶେଷଜ୍ଞ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ‘ସ୍ୱର୍ଣ୍ଣ ଉଦୟ ରାଉରକେଲା କର ସମ୍ମିଳନୀ-୨୦୨୬’ । ଅଲ୍ ଇଣ୍ଡିଆ ଫେଡେରେସନ୍ ଅଫ୍ ଟ୍ୟାକ୍ସ ପ୍ରାକ୍ଟିସନର୍ସର ଇଷ୍ଟର୍ଣ୍ଣ ଜୋନ୍ ଏବଂ ଅଲ୍ ଓଡ଼ିଶା ଟ୍ୟାକ୍ସ ଆଡଭୋକେଟ୍ସ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ଅଗଷ୍ଟ ୨୨ ଓ ୨୩ ତାରିଖରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା । ସମ୍ମିଳନୀର ପ୍ରଥମ ଦିନ ଡିଏଭି ପଡ଼ିଆରେ ଇଷ୍ଟର୍ଣ୍ଣ ଜୋନ୍‌ସ୍ତରୀୟ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡ ଦଳ ଏଥିରେ ଅଂଶଗ୍ରହଣ କରିଥିଲେ । ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଏମ୍.ଏସ୍. ରମଣ ମ୍ୟାଚ୍‌ର ଉଦ୍‌ଘାଟନ କରିଥିଲେ । ଆଇନଜୀବୀ ଶୁଭେନ୍ଦୁ ଧଳଙ୍କ ଅଧିନାୟକତ୍ୱରେ ଓଡ଼ିଶା ଦଳ ପଶ୍ଚିମବଙ୍ଗକୁ ପରାସ୍ତ କରି ବିଜୟୀ ହୋଇଥିଲା । ସନ୍ଧ୍ୟାରେ ରାଧିକା ରିଜେନ୍ସିରେ ପୁରସ୍କାର ବିତରଣୀ ସମାରୋହ ସହ ଏକ ବିଶେଷ କାର୍ଯ୍ୟକ୍ରମ ହୋଇଥିଲା । ଚାଟାର୍ଡ ଆକାଉଣ୍ଟାଣ୍ଟ ଶ୍ୟାମ ଅଗ୍ରୱାଲ ଏଥିରେ ଯୋଗଦେଇ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଉପରେ ଏକ ଡକ୍ୟୁମେଣ୍ଟାରୀ ଉପସ୍ଥାପନ କରିଥିଲେ । ଅଗଷ୍ଟ ୨୩ ତାରିଖରେ ମେ’ ଫେୟାର ହକି ଭିଲେଜ୍‌ରେ ସମ୍ମିଳନୀର ମୁଖ୍ୟ ଅଧିବେଶନ ଆୟୋଜିତ ହୋଇଥିଲା । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପଙ୍କଜ ମିଥଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଜିଏସ୍‌ଟି ଆପିଲେଟ୍ ଟ୍ରିବ୍ୟୁନାଲ୍‌ର ଝାଡ଼ଖଣ୍ଡ ବେଞ୍ଚର ଉପସଭାପତି ତୁଷାରକାନ୍ତି ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ‘ସ୍ୱର୍ଣ୍ଣ ଉଦୟ’ ସ୍ମରଣିକା ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ସମ୍ମିଳନୀରେ ପୂର୍ବ ଭାରତର ବିଭିନ୍ନ ରାଜ୍ୟରୁ ପ୍ରାୟ ୪୦୦ ଜଣ ଆଇନଜୀବୀ, ଚାଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଟିକସ ବିଭାଗର ଅଧିକାରୀ ଯୋଗଦେଇଥିଲେ । ସମ୍ମିଳନୀରେ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କ ସମେତ ଚାଟାର୍ଡ ଆକାଉଣ୍ଟାଣ୍ଟ ଯତୀନ ହରଜାଇ ଓ ରାଜେନ୍ଦ୍ର ଅରୋରା ଟିକସ ବ୍ୟବସ୍ଥାର ବିଭିନ୍ନ ଦିଗ, ଜିଏସ୍‌ଟି ଏବଂ ବର୍ତ୍ତମାନର ଟିକସ ଆଇନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସମ୍ମିଳନୀର ଅଧ୍ୟକ୍ଷ ଆଇନଜୀବୀ ପ୍ରଦୀପ କୁମାର ନାୟକ, ସମ୍ପାଦକ ଉତ୍ତମ କୁମାର ରଏ, ଉପଦେଷ୍ଟା କଲ୍ୟାଣ କମଳ ପଣ୍ଡାଙ୍କ ସମେତ ଅନେକ ବରିଷ୍ଠ ଆଇନଜୀବୀ ଓ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ଦୁଇଦିନିଆ ଏହି ସମ୍ମିଳନୀରେ ଟିକସ ଆଇନର ନୂଆ ଦିଗ, ଜିଏସ୍‌ଟି ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରଭାବ ଉପରେ ମତବିନିମୟ ସହ ଆଇନଜୀବୀ ଓ ଟିକସ ବିଶେଷଜ୍ଞମାନଙ୍କ ମଧ୍ୟରେ ଜ୍ଞାନ ଆଦାନପ୍ରଦାନର ଏକ ବଡ଼ ମଞ୍ଚ ସୃଷ୍ଟି ହୋଇଥିଲା । ସମ୍ମିଳନୀକୁ ସଫଳ କରିବାରେ ସ୍ୱର୍ଣ୍ଣ ଉଦୟ କମିଟିର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ସମେତ ମାନସ ରଞ୍ଜନ ଧର, ସୁହାଗ ନୟନ ପଟେଲ, ଶୁଭେନ୍ଦୁ ଧଳ, ଚଞ୍ଚଳ କେଡିଆ, ସବ୍ୟସାଚୀ ପ୍ରଧାନ, ବିରଜା ପ୍ରସାଦ ରାଉତ ଓ ରାଜେନ୍ଦ୍ର କୁମାର ପଟେଲ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.