
ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇର ପ୍ରସିଦ୍ଧ ବାଲିଯାତ୍ରା ମହୋତ୍ସବରେ ଘଟିଛି ଅଭାବନୀୟ ଘଟଣା । ସାମାନ୍ୟ କଥାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଉଗ୍ରରୂପ ନେବା ସହ ଛୁରାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବୁଡ଼ାଗୁଡ଼ା ଗ୍ରାମର ମହେଶ କାଡ୍ରାକା । ଏହି ଘଟଣାରେ ରହନ କାଡ୍ରାକା ନାମକ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ବାଲିଯାତ୍ରା ପଡ଼ିଆରେ ପ୍ରବଳ ଭିଡ଼ ଥିବା ସମୟରେ କିଛି ଯୁବକଙ୍କ ମଧ୍ୟରେ କୌଣସି କଥାକୁ ନେଇ ପ୍ରଥମେ ପାଟିତୁଣ୍ଡ ହୋଇଥିଲା । ପରେ ଏହି ବିବାଦ ଉଗ୍ରରୂପ ନେବାରୁ ମହେଶ ଓ ରହନଙ୍କ ଉପରେ ଧାରୁଆ ଛୁରୀରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ରକ୍ତାକ୍ତ ଅବସ୍ଥାରେ ଉଭୟ ତଳେ ପଡ଼ିଯିବାରୁ ମେଳା ପଡ଼ିଆରେ ଆତଙ୍କ ଖେଳିଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା । ସେଠାରେ ଡାକ୍ତର ମହେଶଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ରହନଙ୍କୁ ଉଚ୍ଚତର ଚିକିତ୍ସା ପାଇଁ କୋରାପୁଟ ପଠାଯାଇଛି । ଏହି ଘଟଣାରେ ରାଣ୍ଡିକୋଣା ଗ୍ରାମର କୃଷ୍ଣ ମିଣିଆକାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କ ଗିରଫ ଦାବିରେ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ । ପରେ ପୋଲିସ କୃଷ୍ଣଙ୍କୁ ଗିରଫ କରିବା ପରେ ରାସ୍ତା ଅବରୋଧ ହଟିଥିବା ଜଣାପଡ଼ିଛି । ପୋଲିସ ମୃତଦେହ ଜବତ କରି ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ଘଟଣାର ଅଧିକ ତଥ୍ୟ ସଂଗ୍ରହ ପାଇଁ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ତଦନ୍ତ କରୁଥିବା ସୂଚନା ମିଳିଛି ।