
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଦୀର୍ଘ ୪୬ ବର୍ଷର ଅପେକ୍ଷାର ଅନ୍ତ। ପ୍ରଥମଥର ପାଇଁ ଛାତ୍ର ସଂସଦ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇଉଠିଛି କନ୍ଧମାଳ ଜିଲ୍ଲାର ସର୍ବପୁରାତନ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ପରିସର । ନିର୍ବାଚନୀ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଶେଷ ହୋଇଥିବାବେଳେ ମୋଟ ୮ଟି ପଦବୀ ପାଇଁ ୪୦ ଜଣ ଛାତ୍ରଛାତ୍ରୀ ପ୍ରାର୍ଥୀ ହୋଇଛନ୍ତି । ଏଥିମଧ୍ୟରେ ସଭାପତି ପଦ ପାଇଁ ସର୍ବାଧିକ ୧୦ ଜଣ ନାମାଙ୍କନ ଦାଖଲ କରିଥିବାରୁ ଏହି ପଦକୁ ନେଇ ନିର୍ବାଚନୀ ଉତ୍କଣ୍ଠା ବଢ଼ିଛି । ଶୁକ୍ରବାର ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ନାମାଙ୍କନ ପ୍ରକ୍ରିୟା ଦିନ ୧ଟାରେ ଶେଷ ହୋଇଥିଲା । ପରେ ଅପରାହ୍ନ ୨ଟାରୁ ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇ ସନ୍ଧ୍ୟା ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା । ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ସହ ଆସି ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିଲେ । ଦୀର୍ଘଦିନ ପରେ କଲେଜରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂଆ ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ ହୋଇଛି । ନିର୍ବାଚନ କାର୍ଯ୍ୟକ୍ରମ ଅନୁଯାୟୀ, ଆସନ୍ତାକାଲି ଶନିବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଛି । ଅକ୍ଟୋବର ୧୪ରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ୧୫ ତାରିଖରେ ଭୋଟଗ୍ରହଣ କରାଯିବ । ଅକ୍ଟୋବର ୧୬ରେ ବିଜୟୀ ଛାତ୍ର ପ୍ରତିନିଧିମାନେ ଶପଥ ଗ୍ରହଣ କରିବେ । ଏହି ନିର୍ବାଚନ ଛାତ୍ରଛାତ୍ରୀଙ୍କୁ ନିଜର ମତାମତ ଓ ନେତୃତ୍ୱ ପ୍ରତିଷ୍ଠା କରିବାର ସୁଯୋଗ ଦେବ ବୋଲି ଆଶା କରାଯାଉଛି । ନିର୍ବାଚନକୁ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ କରିବା ପାଇଁ କଲେଜ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ନାମାଙ୍କନ ସମୟରେ ମାଜିଷ୍ଟ୍ରେଟ୍ ଭାବେ ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଉପସ୍ଥିତ ଥିଲେ । ଏଥିସହ ଲିଙ୍ଗଡୋ କମିଶନଙ୍କ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ପ୍ରଶାସନ ଓ ଛାତ୍ର ସଂଗଠନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟଙ୍କ ସୂଚନା ଅନୁଯାୟୀ, ନିର୍ବାଚନ ଅଧିକାରୀ ଭାବେ ଅଧ୍ୟାପକ ତେଜେଶ୍ୱର ନାୟକ ଦାୟିତ୍ୱ ତୁଳାଉଥିବା ବେଳେ ସହନିର୍ବାଚନ ଅଧିକାରୀ ଭାବେ ଅଧ୍ୟାପକ ସରୋଜ ପାଠୀ ଓ ଅଧ୍ୟାପକ ହିମାଂଶୁ ଶେଖର ସାହୁ ରହିଛନ୍ତି । ନାମାଙ୍କନ ପର୍ଯ୍ୟାୟ ଶେଷ ହୋଇଥିବାରୁ ଏବେ ସମସ୍ତଙ୍କ ନଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ଆଗାମୀ ଭୋଟଗ୍ରହଣ ଉପରେ । ଦୀର୍ଘ ବର୍ଷର ବ୍ୟବଧାନ ପରେ ହେଉଥିବା ଏହି ନିର୍ବାଚନ କଲେଜରେ ଛାତ୍ର ନେତୃତ୍ୱର ନୂଆ ଅଧ୍ୟାୟ ଆରମ୍ଭ କରିବ ବୋଲି ଆଶା ପ୍ରକାଶ ପାଇଛି ।