ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କୁ ଏବେ ଘାରିଛି ଜଙ୍ଗଲୀ ହାତୀଙ୍କ ଚିନ୍ତା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କୁ ଏବେ ଘାରିଛି ଜଙ୍ଗଲୀ ହାତୀଙ୍କ ଚିନ୍ତା । କାରଣ ସବୁ ବର୍ଷ ଭଳି ଠିକ୍ ଚାଷ ସମୟରେ ଦେଖାଦେଇଛି ହାତୀ ଉପଦ୍ରବ । ଉଲୁଣ୍ଡା ବନାଞ୍ଚଳରେ ପାଖାପାଖି ପାଞ୍ଚ ଦିନ ହେଲାଣି ଜାରିରହିଛି ହାତୀପଲର ଉତ୍ପାତ । ଜଂଗଲ ଛାଡି ଗାଁକୁ ମୁହାଁଇଛନ୍ତି ହାତୀପଲ । ରାତି ପ୍ରାୟ ୧୨ ଟା ସମୟରେ ହଠାତ ୨୫ ପଟ ହାତୀ ଚାଲି ଆସିଥିଲେ କୁତମେଣ୍ଡା ଗାଁର ଧାନ ଖେତକୁ । ଗୋଟିଏ ପରିବାରର ଅଜା କୁଷ୍ଣ ଝରିଆ ଓ ନାତି ଅନ୍ଧାରୁ ଙ୍କୁ ହାତୀ ଆକ୍ରମଣ କରିବାରୁ ସେମାନେ ଆହତ । ଏମାନଙ୍କୁ ପ୍ରଥମେ ଉଲୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରିବା ପରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ସୂଚନା ଅନୁସାରେ ଗତ କାଲି ରାତିରେ ହାତୀପଲରୁ ଅଲଗା ହୋଇ ଏକ ଜଙ୍ଗଲୀ ହାତୀ କୁତମେଣ୍ଡା ଗାଁ ଭିତରକୁ ପଶି ଆସିଥିଲା । ଉକ୍ତ ହାତୀ ଗାଁର ଘରଦ୍ବାର ଭାଙ୍ଗିବା ସହିତ ଲୋକମାନଙ୍କୁ ଆକ୍ରମଣ କରିଥିଲା । ସେତେବେଳେ ଏହି ଦୁଇଜଣ ହାତୀ ହାବୁଡରେ ପଡି ଯାଇଥିଲେ । ଏହି ଅଂଚଳରେ ବିଗତ ଚାରି ପାଞ୍ଚ ଦିନ ହେଲା ଜଙ୍ଗଲୀ ହାତୀ ପଲ ଖାଦ୍ୟ ଅନ୍ବେଷଣରେ ଆସି ଧାନ ଫସଲ ନଷ୍ଟ କରିବା ସହିତ ଗାଁମାନଙ୍କୁ ପଶି ଘରଦ୍ବାର ଭାଙ୍ଗୁଛନ୍ତି । ଦିନକୁ ଦିନ ଜଂଗଲ ପାଖାପାଖି ଗାଁଗୁଡିକରେ ହାତୀ ଉପଦ୍ରବ ବଢି ବଢି ଚାଲିଥିବାରୁ ଚିନ୍ତାରେ ଚାଷୀକୁଳ । ଏଣୁ ସରକାରୀ ଭାବେ ଚାଷିର ଫସଲର ସୁରକ୍ଷା ସହ କ୍ଷତିପୁରଣ ଯୋଗାଇଦେବାକୁ ଦାବୀ ହୋଇଛି ।

Leave A Reply

Your email address will not be published.