om academy

ହରଭଙ୍ଗା ବ୍ଲକ ମାଇନର ନାଁରେ ମେଜର ମିନେରାଲ ଉତ୍ତୋଳନ ଘଟଣା

jsm

– ପଥର କ୍ୱାରୀ ସ୍ଥଳ ତଦାରଖ କଲେ ତହସିଲଦାର
– ଲିଜ ଧାରକଙ୍କୁ ୩୦ହଜାର ଟଙ୍କା ଜରିମାନା ସହ କାଗଜପତ୍ର ଦାଖଲ ପାଇଁ ନିର୍ଦେଶ
– ୩ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁୁ ସୁପରଭାଇଜରଙ୍କୁ ଚିଠି

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ପଥର କ୍ୱାରୀ ଲିଜ ଧାରକଙ୍କ ଦ୍ଵାରା ମାଇନର ମିନେରାଲ ଅନୁମତି ନାଁରେ ଆଇନ ଆଖିରେ ଧୂଳିଦେଇ ମେଜର ମିନେରାଲ ଉତ୍ତୋଳନ ହୋଇ ଆସୁଥିଲା । ଓଡ଼ିଶା ସରକାରଙ୍କ ମାଇନର ମିନେରାଲ ନିୟମ ଅନୁଯାଇ ପଥର କୁଆଁରୀ ଗୁଡିକରେ ଭୂମିଠାରୁ ସର୍ବାଧିକ ୬ମିଟର ଗଭୀର ଯାଏଁ ତଳକୁ ଖନନ କରାଯାଇପାଇବ । ଏଥିରୁ ତଳକୁ ଖନନ କରିବା ପାଇଁ ହେଲେ ଓଡିଶା ଡ଼ାଇରେକ୍ଟର ଜେନେରାଲ ମାଇନ୍ସ ଅଫ ସର୍ଭେଙ୍କର ଅନୁମତି ପତ୍ର ନେବା ବାଧ୍ୟତାମୂଳକ ଥିବାବେଳେ ଏଠାରେ ଏହାର ଖୋଲାଖୋଲି ଉଲଙ୍ଘନ ଚାଲିଥିଲା । ସେହିପରି ଖନନ ସମୟରେ ଯଦି କୌଣସି ସ୍ଥାନରେ ଜଳର ଉତ୍ସ ଦେଖାଯାଏ ତେବେ ତତ୍କାଳ ଖନନ ପ୍ରକ୍ରିୟାକୁ ସେଠାରେ ହିଁ ବନ୍ଦ କରାଯିବାର କଡାକଡି ପ୍ରାବଧାନ ଥିବାବେଳ ଏହାକୁ ଅଣଦେଖା କରି ଜଳଉତ୍ସ ବାହାରିବା ସତ୍ତ୍ୱେ ଖନନ ପ୍ରକ୍ରିୟା ବନ୍ଦ ନକରି ଓଲଟି ମୋଟର ଜରିଆରେ ପାଣି ନିଷ୍କାସନ କରି ସେଠାରେ ଉଚ୍ଚ କ୍ଷମତା ସମ୍ପନ୍ନ ପଥର ବ୍ଲାଷ୍ଟିଂଙ୍ଗ କରି ପ୍ରାୟ ୫୦ରୁ ୬୦ ଫୁଟ ଗଭୀର ଯାଏ ଖନନ କରାଯାଉଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ଗ୍ରୀଷ୍ମଋତୁ ପ୍ରାରମ୍ଭରୁ ହିଁ କୂଅ, ପୋଖରୀ ଓ ନଳକୂପ ଗୁଡିକରେ ଜଳସ୍ତର ହ୍ରାସ ପାଇବାରେ ଲାଗିଥିଲା । ଏ ସମ୍ପର୍କରେ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆଜି ହରଭଙ୍ଗା ତହସିଲଦାର ଶମ୍ଭୁ ଭୂଷଣ ମିଶ୍ର ଏବଂ ଅତିରିକ୍ତ ତହସିଲଦାର ହରିଓମ ଭୋଇ ଘଟଣା ସ୍ଥଳକୁ ଯାଇ ଏହାର ପ୍ରାଥମିକ ତଦାରଖ କରିଛନ୍ତି । ଖବରର ସତ୍ୟତା ଉପଲବ୍ଧ କରି ତହସିଲଦାରଥିବା ତତ୍କାଳ ଲିଜ ଧାରକଙ୍କୁ ୩୦ହଜାର ଟଙ୍କା ଜରିମାନା କରିଥିଲେ । ଏହା ସହିତ ହୋଇଥିବା ଅନିୟମିତତାକୁ ଗମ୍ଭୀରତାର ସହ ନେଇ ହରଭଙ୍ଗା ତହସିଲର ରେଭନ୍ୟୁ ସୁପରଭାଇଜରଙ୍କୁ ଏହାର ତଦନ୍ତ କରି ଆସନ୍ତା ୩ଦିନ ମଧ୍ୟରେ ସବିଶେଷ ରିପୋର୍ଟ ଦେବାକୁ ଚିଠି କରିଥିବା ଜଣାପଡିଛି । ଅପର ପକ୍ଷରେ ସମ୍ପୃକ୍ତ ପଥର କ୍ୱାରୀର ଲିଜ ଧାରକଙ୍କୁ ମଧ୍ୟ ଆଗାମୀ ୩ଦିନ ଭିତରେ ଆବଶ୍ୟକୀୟ ସମସ୍ତ କାଗଜପତ୍ର ତାଙ୍କ ନିକଟରେ ଦାଖଲ କରିବା ପାଇଁ ନିର୍ଦେଶ ଦେଇଥିବା ଜଣାପଡିଛି । ନୂତନ ତହସିଲଦାରଙ୍କ ଦ୍ୱାରା ନିଆଯାଇଥିବା ତ୍ୱରିତ କାର୍ୟ୍ୟାନୁଷ୍ଠାନକୁ ବୁଦ୍ଧିଜୀବୀ ଓ ପରିବେଶ ପ୍ରେମୀ ମହଲରେ ସ୍ୱାଗତ କରାଯାଇଛି । ତେବେ ତଦନ୍ତ ପ୍ରକ୍ରିୟା ଶେଷହେବା ପରେ ସରକାରୀ ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ କି ଦୃଷ୍ଟାନ୍ତ ମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବା ପାଇଁ ବିଭିନ୍ନ ମହଲରେ ଉତ୍ସୁକତା ଦେଖାଦେଇଛି।

Leave A Reply

Your email address will not be published.