
ବଲାଙ୍ଗିର, (କେପିଏନ୍ଏସ୍) : ଗ୍ରାହକଙ୍କ ଅଧିକାର ସୁରକ୍ଷା ଓ ସଚେତନତା ସୃଷ୍ଟି ଲକ୍ଷ୍ୟରେ ବଲାଙ୍ଗିରରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଶାଖାର ପରିଚୟ ବର୍ଗ ଅନୁଷ୍ଠିତ ହୋଇଯାଇଛି । ରବିବାର ଅପରାହ୍ନ ୩ଟାରେ ସ୍ଥାନୀୟ ଦୈନିକ ବଜାରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ବାଟିକା ଶାଖା ପରିସରରେ ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମର ଆରମ୍ଭରେ ସଂଗଠନର ସଦସ୍ୟା କସ୍ତୁରୀ ରଥ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଏହାପରେ ସ୍ୱାମୀ ବିବେକାନନ୍ଦ ଓ ଭାରତମାତାଙ୍କ ପୂଜାର୍ଚ୍ଚନା ସହ ଦୀପ ପ୍ରଜ୍ୱଳନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପଶ୍ଚିମ ପ୍ରାନ୍ତ ଗ୍ରାହକ ପଞ୍ଚାୟତ ସଭାପତି କିଶୋର ମୋହନ ମିଶ୍ର ଯୋଗଦେଇ ସଂଗଠନର ଉଦ୍ଦେଶ୍ୟ, କାର୍ଯ୍ୟପ୍ରଣାଳୀ ଓ ଗ୍ରାହକଙ୍କ ଅଧିକାର ସୁରକ୍ଷା କ୍ଷେତ୍ରରେ ଏହାର ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ । ସାଧାରଣ ସମ୍ପାଦକ ଉମାଶଙ୍କର ସାହୁ ସ୍ୱାଗତ ଭାଷଣ ଦେଇଥିବାବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଚଳିତ ବର୍ଷ ଅଗଷ୍ଟ ମାସରେ ନୂତନ ଭାବେ ସଦସ୍ୟତା ଗ୍ରହଣ କରିଥିବା ସଦସ୍ୟ ଓ ସଦସ୍ୟାମାନଙ୍କୁ ସ୍ୱାଗତ କରାଯାଇଥିଲା । ଏଥିସହ ପୁରାତନ ସଦସ୍ୟମାନଙ୍କ ସହ ନୂତନ ସଦସ୍ୟଙ୍କ ପରିଚୟ କରାଯିବା ସହ ସଂଗଠନର ଦାୟିତ୍ୱ ନିଷ୍ଠାର ସହ ତୁଳାଇବାକୁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ । ଏହାସହ ଆଗାମୀ ବର୍ଷରେ ଗ୍ରାହକ ପଞ୍ଚାୟତ ପକ୍ଷରୁ ହେବାକୁ ଥିବା ବିଭିନ୍ନ ଜନସଚେତନତା ଓ ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହେବା ସହ ସେଗୁଡ଼ିକର ସଫଳ ରୂପାୟନ ପାଇଁ ମତବିନିମୟ କରାଯାଇଥିଲା ।