pakka

ବଲାଙ୍ଗିର ପଲିଟେକ୍‌ନିକ୍‌ର ବାର୍ଷିକ ଉତ୍ସବ ‘ଗୁଞ୍ଜନ-୨୦୨୨’ ପାଳିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପଲିଟେକ୍‌ନିକ୍‌ର ବାର୍ଷିକ ଉତ୍ସବ ‘ଗୁଞ୍ଜନ-୨୦୨୨’ ଏହାର ବାଳକ ଛାତ୍ରାବାସ ପ୍ରାଙ୍ଗଣରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟ ଅତିଥି ଓ ଭୀମଭୋଇ ଭେଷଜ ମହାବିଦ୍ୟାଳୟର ଡିନ୍‌ ଏବଂ ଅଧ୍ୟକ୍ଷ ପ୍ରଫେସର ଡ. ସବିତା ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଡ. ପ୍ରବିର କୁମାର ମହାନ୍ତିଏହି ଉତ୍ସବରେ ପୌରାହିତ୍ୟ କରିବା ସହ ସ୍ୱାଗତ ସଂଭାଷଣ, ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଉକ୍ତ ଅବସରରେ ଅନୁଷ୍ଠାନର ପ୍ରଥମ ଥର ପ୍ରକାଶ ପାଉଥିବା ବାର୍ଷିକ ପତ୍ରିକା ‘ଟେକ୍‌ଲିଟ୍‌’ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ପଲିଟେକ୍ନିକ ସ୍ତରରେ ଏପରି ଏକ ଉତ୍ସବର ଆୟୋଜନକୁ ଜିଲ୍ଲାପାଳ ଭୂୟସି ପ୍ରଶଂସା କରିବା ସହ ସମୟ ଓ ପରିସ୍ଥିତି ସହ ନିଜକୁ ସାମିଲ କରି ଉତ୍ତମ ଗୁଣବତ୍ତାର ଅଧିକାରୀ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ । ଆଗାମୀ ଦିନରେ ପଶ୍ଚିମ ଓଡିଶାର ଦଶ ଗୋଟି ଜିଲ୍ଲାରେ ଥିବା ସମସ୍ତ ପଲିଟେକ୍‌ନିକ୍‌ ଓ ଆଇଟିଆଇର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବଲାଙ୍ଗିରରେ ଏକ ସାମୁହିକ ପ୍ରତିଯୋଗିତାର ଆୟୋଜନ କରିବାର ଇଚ୍ଛା ବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଡ. ମହାପାତ୍ର ଶିକ୍ଷା ଓ ସ୍ୱାସ୍ଥ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । କ୍ରୀଡା, ସାଂସ୍କୃତିକ ଓ ଜ୍ଞାନ ବିଜ୍ଞାନ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା । ଷଷ୍ଠ ସେମିଷ୍ଟାର(ମେକାନିକାଲ)ର ଛାତ୍ର ସ୍ୱପ୍ରଜିତ୍‌ କୁମାର ବର୍ଦ୍ଧନଙ୍କୁ ଷ୍ଟୁଡେଣ୍ଟ ଅଫ୍‌ ଦି ବେଚ୍‌ ଓ ବାଳିକା ବିଭାଗରେ ଚେମ୍ପିଆନ୍‌ ଏବଂ ଷଷ୍ଠ ସେମିଷ୍ଟାର(ସିଭିଲ୍‌)ର ଛାତ୍ରୀ ସୁଶ୍ରୀ ଲିପ୍ସିତା ଶୁଭଦର୍ଶିନୀ ରଣାଙ୍କୁ ବାଳିକା ବିଭାଗର ଚେମ୍ପିଆନ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା । ଉକ୍ତ ଅନୁଷ୍ଠାନରୁ ଉର୍ତ୍ତିର୍ଣ୍ଣ ହୋଇ ନିଜକୁ ପ୍ରତିଷ୍ଠିତ କରିପାରିଥିବା କିଛି ପୂର୍ବତନ ଆଦର୍ଶ ଛାତ୍ରମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସାଥାନୀୟ ସଂଗୀତକାର କୃଷ୍ଣ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସ୍ୱାଗତ ଓ ଉଦ୍‌ଯାପନୀ ସଂଗୀତ ପରିବେଶଣ କରାଯାଇଥିଲା । ଛାତ୍ର ଛାତ୍ରୀମାନେ ଅନ୍ୟାନ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ପ୍ରତିଭାର ପରିଚୟ ଦେଇଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ମନୋରଞ୍ଜନ ପାଇଁ ଭୁବନେଶ୍ୱରର ପ୍ରିନ୍ସ ଅର୍କେଷ୍ଟ୍ରା ଦ୍ୱାରା ମ୍ୟୁଜିକାଲ୍‌ ନାଇଟରେ ବିଭିନ୍ନ ମନୋରଞ୍ଜନ ଧର୍ମି ସଂଗୀତ ପରିବେଶଣ କରାଯାଇଥିଲା । ଅଧ୍ୟାପକ ସୌରଭ କୁମାର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କ ସହଯୋଗରେ ଉତ୍ସବଟି ଶାନ୍ତି ଶୃଙ୍ଖଳା ସହ ପାଳନ କରାଯାଇଥିଲା । ଶେଷରେ ‘ଗୁଞ୍ଜନ-୨୦୨୨’ର ମୁଖ୍ୟ ଆୟୋଜକ ବରିଷ୍ଠ ଅଧ୍ୟାପକ ସତ୍ୟଜିତ ଦଳଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।

Leave A Reply

Your email address will not be published.

one × three =